ଝାରସୁଗୁଡ଼ାରୁ ଦିନକରେ ୨୫ କୋରନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଦିନକରେ ୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବ୍ରଜରାଜନଗର ଅଂଚଳରୁ ୨୦ଜଣ ଓ ଝାରସୁଗୁଡ଼ା ସହରର ୫ଜଣ ରହିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ବ୍ରଜରାଜନଗର ଓପିଏମ୍ ଅଂଚଳର ୭ ଜଣ ମହିଳା, ୭ ଜଣ ପୁରୁଷ ଓ ୩ ଜଣ ଶିଶୁ ଅଛନ୍ତି । ଏମାନେ ଦିଲ୍ଲୀରୁ ଫେରି ହାମ କ୍ୱାରେଣ୍ଟାଇନରେ ଥିବା ଜଣଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ଗତ ୬ ତାରିଖ ଦିନ କଲିକତାରୁ ବିମାନ ଯୋଗେ ଫେରି ସରବହାଲ ଅଂଚଳରେ ନିଜ ଘରେ ସଙ୍ଗରୋଧରେ ରହିଥିବା ମା’(୫୦) ଓ ଝିଅ(୨୯) ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଚେନ୍ନାଇରୁ ଗତ ୧୨ ତାରିଖରେ ବିମାନ ଯୋଗେ ଫେରି ଶଙ୍କର ହୋଟେଲରେ ଇନ୍ଷ୍ଟିଚ୍ୟୁସନାଲ କ୍ୱରେଣ୍ଟାଇନରେ ରହୁଥିବା ଜଣେ ୨୩ ବର୍ଷୀୟ ଯୁବକ, ଗତ ୬ ତାରିଖ ହରିୟାଣାରୁ ଫେରି ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ନିଜ ଘରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୨୭ ବର୍ଷୀୟ ବ୍ୟକ୍ତି ଓ ୧୪ ତାରିଖରେ ଛତିଶଗଡ଼ରୁ ଫେରି ବ୍ରଜରାଜନଗର ଏନଏସି ବାଳିକା ବିଦ୍ୟାଳୟରେ କ୍ୱାରେଣ୍ଟାଇନରେ ଥିବା ଜଣେ ମହିଳା ରହିଛନ୍ତି।

ସୂଚନାଯୋଗ୍ୟ, ଦିନକରେ ୨୫ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେଥିପାଇଁ କରୋନା ଚିହ୍ନଟ ହୋଇଥିବା ଅଂଚଳକୁ ସାନିଟାଇଜ କରିବା ସହ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରି ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଯାଇଛି। ତେବେ ସମସ୍ତ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ, ହୋମ କ୍ୱାରେଣ୍ଟାଇନ ବା ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାରୁ ବିଶେଷ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।