୨୫.୧୭%କୁ କମିଲା କର୍ପୋରେଟ୍ ଟିକସ

ପାନାଜି,ଏଜେନ୍ସି: ଧୀମା ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ପୁନଶ୍ଚ ଏକ ନିର୍ଦ୍ଦିଷ୍ଟ ଗତି ଦେବା ଲାଗି ଶୁକ୍ରବାର ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଅନେକ ବଡ଼ଧରଣର ଘୋଷଣା କରିଛନ୍ତି । ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ୍ ଟିକସ ହାରକୁ ୨୫.୧୭% ପର୍ଯ୍ୟନ୍ତ ହ୍ରାସ କରାଯାଇଛିବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏଥିସହିତ ମାନୁଫାକ୍ଚୁରିଂ କମ୍ପାନୀଗୁଡ଼ିକ ଲାଗି କର୍ପୋରେଟ୍ ଟିକସର ପ୍ରଭାବି ଦରକୁ ହ୍ରାସ କରି ୧୭.୦୧% କରିଦେଇଛନ୍ତି । ପୂର୍ବରୁ ଏହା ଯଥାକ୍ରମେ ୩୪.୯୪% ଏବଂ ୨୯.୧୨% ଦରରେ ଉପଲବ୍ଧ ହେଉଥିଲା । ଏ ସମ୍ବନ୍ଧରେ ଘୋଷଣା କରିବା ସହିତ ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ଚଳିତ ଆର୍ଥିକବର୍ଷ ୨୦୧୯-୨୦ରୁ ଏହି ନୂତନ ଦର ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍)ରେ ଆର୍ଥିକ ଅଭିବୃଦ୍ଧି ହାର ବିଗତ ୬ ବର୍ଷର ସର୍ବନିମ୍ନ ସ୍ତର ଅର୍ଥାତ୍ ୫%ରେ ପହଞ୍ଚିଥିଲା । ଏପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ତରଫରୁ ଏହି ନୂତନ ଘୋଷଣା ଦ୍ୱାରା ନିବେଶକୁ ପ୍ରୋତ୍ସାହନ ମିଳିବ । ଏଥିସହ ନିଯୁକ୍ତି ସୁଯୋଗକୁ ମଧ୍ୟ ଗତି ମିଳିବ ବୋଲି ଅନୁମାନ କରାଯାଉଛି ।