ଏଣିକି ୨୪ ଘଣ୍ଟିଆ ଏନଇଏଫଟି ନେଣଦେଣ

ନୂଆଦିଲ୍ଲୀ,ଏଜେନ୍ସି: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବୃହତ ପଦକ୍ଷେପ ନେଇଛି। ଆରବିଆଇ ଏହାର ମୁଦ୍ରାନୀତି କମିଟି (ଏମପିସି) ବୈଠକରେ କ୍ରମାଗତ ପଞ୍ଚମଥର ପାଇଁ ଏହାର ନୀତିଗତ ଦର ରେପୋହାରରେ ହ୍ରାସ କରିଛି। ଏଥିସହିତ ନ୍ୟାସନାଲ ଇଲେକ୍ଟ୍ରିକ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ସହ ଜଡ଼ିତ ଏକ ବଡ଼ଧରଣର ଘୋଷଣା କରିଛି। ଏହା ଅନ୍ତର୍ଗତ ଗ୍ରାହକମାନଙ୍କୁ ଡିସେମ୍ବର ମାସରୁ ୨୪ ଘଣ୍ଟିଆ ଏନଇଏଫଟି ଜରିଆରେ ନେଣଦେଣର ସୁବିଧା ମିଳିବ। ବର୍ତ୍ତମାନ ସମୟରେ ଗ୍ରାହକମାନେ କେବଳ ବ୍ୟାଙ୍କର କାର୍ଯ୍ୟ ଦିବସରେ ହିଁ ଏହି ସୁବିଧାର ଫାଇଦା ଉଠାଉଛନ୍ତି। ଏଥିସହିତ ସକାଳ ୮ଟା ରୁ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ହିଁ ଏହି ସୁବିଧା ଉପଲବ୍ଧ ହେଉଛି। ମାତ୍ର ଡିସେମ୍ବର ପରଠାରୁ ଏହି ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ। ଏନଇଏଫଟି ଜରିଆରେ ଥରକେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିହେବ। ତେବେ କେତେକ ସ୍ୱତନ୍ତ୍ର ପ୍ରସଙ୍ଗରେ ହିଁ ଏହି ସୀମା ବୃଦ୍ଧି କରାଯାଉଛି। ଜୁନ ୬ରେ ଆରବିଆଇ ଏହାର ମୁଦ୍ରାନୀତି ବୈଠକରେ ଆରଟିଜିଏସ ଏବଂ ଏନଇଏଫଟି ଜରିଆରେ ହେଉଥିବା ନେଣଦେଣକୁ ନିଃଶୁଳ୍କ ଘୋଷଣା କରିଥିଲେ। ଏହି ନୂତନ ନିୟମ ଜୁଲାଇ ୧ରୁ ଲାଗୁ ହୋଇସାରିଛି। ଆରବିଆଇ ରିପୋର୍ଟ ମୁତାବକ, ଚଳିତବର୍ଷ ଏପ୍ରିଲରେ ଏନଇଏଫଟି ଜରିଆରେ ୨୦.୩୪ କୋଟି ଏବଂ ଆରଜିଟିଜିଏସ ଜରିଆରେ ୧.୧୪ କୋଟି ଟଙ୍କାର ନେଣଦେଣ ହୋଇଛି।
ଏନଇଏଫଟି କ’ଣ?
ଇଣ୍ଟରନେଟଜରିଆରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଏନଇଏଫଟିର ବ୍ୟବହାର କରାଯାଏ। ଏହା ଜରିଆରେ କୌଣସି ବି ବ୍ୟାଙ୍କକୁ ଯେକୌଣସି ବ୍ୟାଙ୍କରୁ ଟଙ୍କା ପଠାଇହେବ। ଏଥିରେ ଏକମାତ୍ର ସର୍ତ୍ତ ରହିଛି ଯେ ଟଙ୍କା ପଠାଉଥିବା ବ୍ୟକ୍ତି ଏବଂ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତି, ଉଭୟଙ୍କ ନିକଟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ରହିଥିବା ନିତାନ୍ତ ଜରୁରୀ। ଯଦି ଉଭୟଙ୍କ ଆକାଉଣ୍ଟ ଗୋଟିଏ ବ୍ୟାଙ୍କରେ ରହିଥିବ, ତେବେ କେଇମାତ୍ର ସେକେଣ୍ଡ ମଧ୍ୟରେ ଟଙ୍କା ନେଣଦେଣ ହୋଇପାରିବ। ଅନ୍ୟଥା ନେଣଦେଣରେ କିଛି ସମୟ ଲାଗିବ।