ରାଜ୍ୟରେ ଚିହ୍ନଟ ହେଲେ ୨୪୫ କରୋନା ଆକ୍ରାନ୍ତ, ୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ତୁଳନାରେ ଆଜିର ରିପୋର୍ଟରେ ପୁଣି କରୋନା ସଂକ୍ରମଣ ବଢ଼ିଥିବା ଜଣାପଡ଼ିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଟି ଜିଲ୍ଲାରୁ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେଣ୍ଟାଇନ‌ରେ ଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନ୍ୟପଟେ ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ବଲାଙ୍ଗିରରୁ ସର୍ବାଧିକ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ମୃତ୍ୟୁ ହୋଇଥିବା ୨ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲ୍ଲାର ଓ ଜଣେ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୯୦୦ରେ ପହଞ୍ଚିଛି। ସେହିପରି ରାଜ୍ୟରେ କରୋନାରେ ଆଜି ସୁଦ୍ଧା ୩,୨୭,୨୯୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୧୬୩ ଜଣ ଚିକିତ୍ସାଧୀନ ଅଛନ୍ତି।