୨୪ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାସ, ଅଭିଯୋଗକାରୀ ହିଁ ଅଭିଯୁକ୍ତ

ରାୟଗଡ଼ା,ଏନ୍ଏନ୍ଏସ୍: ଲୋଭ ହେଲା କାଳ। ଏକା ଥରକେ ୨୪ ଲକ୍ଷ ଟଙ୍କା ଦେଖି ନିଜ ଲୋଭକୁ ଆୟତ କରିପାରି ନଥିଲେ। ଶେଷରେ ଟଙ୍କାକୁ ନିଜର କରିବା ପାଇଁ ଲୁଟର ନାଟକ କରିଥିଲେ ଅଭିଯୁକ୍ତ। ଟଙ୍କା ଲୁଟ ହୋଇଥିବା ନେଇ ନିଜେ ଯାଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ତୀକ୍ଷଣ ନଜରରୁ ବର୍ତ୍ତି ପାରିନଥିଲେ।

୨୪ ଲକ୍ଷ ଲୁଟ ଘଟଣା ଅଭିଯୋଗକାରୀ ହିଁ ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲି ପର୍ଦ୍ଦାଫାସ କଲେ ରାୟଗଡ଼ା ଏସପି ଡ଼ ଶ୍ରର୍ବଣା ବିବେକ ଏମ। ଗତ ୧୦ ତାରିଖରେ ସହରର ଜନଗହଳିପୂର୍ଣ୍ଣ ଏଫସିଆଇ ଛକ ନିକଟରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମସ୍ତ ଟଙ୍କାକୁ ରାୟଗଡ଼ା ପୁଲିସର ଏକ ସ୍ୱତନ୍ତ୍ର ଟିମ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣାର ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ।

ସିଏମସିଏସ ନାମକ ଏକ ଘରୋଇ କମ୍ପାନୀରେ ଅଭିଯୁକ୍ତ ଅନିଲ କୁମାର ଗରଡ଼ିଆ କାମକରନ୍ତି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ୨୪ ଲକ୍ଷ ନେଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ରାୟଗଡ଼ା ସହରର ଏଫସିଆଇ ଛକ ନିକଟରେ ୨ ଜଣ ଦୁବୃର୍ତ ମାରଣାସ୍ତ୍ର ଦେଖାଇ ରାସ୍ତା ମଝିରୁ ୨୪ ଲକ୍ଷ ଟଙ୍କା ଝାମ୍ପି ନେଇଯାଇଥିବା ନିଜେ ଅନିଲ କୁମାର ଗରଡ଼ିଆ ରାୟଗଡ଼ା ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍ ନଂ-୨୫୫/୧୦.୦୮.୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନିଲର କଥାବାର୍ତ୍ତାରେ କୌଣସି ତାଳମେଳ ରହୁନଥିବାରୁ ଅନିଲ ଉପରେ ପୁଲିସ ସନ୍ଦେହ କରି ସତ ଜାଣିବା ପାଇଁ ଅନିଲକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ପୁଲିସର ଅତର୍କିତ ପ୍ରଶ୍ନବାଣୀରେ ଅସମ୍ଭାଳ ହୋଇ ଶେଷରେ ପୁଲିସ ନିକଟରେ ସତ ଓଗାଳିଥିଲା। ସେ ହିଁ ଏହି ଲୁଟମାମଲାର ମାଷ୍ଟରମାଇଣ୍ଡ ବୋଲି ସ୍ୱୀକାର କରିଥିଲା। ନିଜ ଭାଇ ବିବେକ ଗରଡ଼ିଆ, ସମ୍ପର୍କୀୟ ଭାଇ ବାପି ମିଶାଲ ଏବଂ ସୁଧାଂଶୁ ମିଶାଲ ଏଥିରେ ତାଙ୍କୁ ସହଯୋଗ କରିଥିଲେ। ସେମାନଙ୍କଠାରୁ ଏକ ଓଡ଼ି-୧୮ଏଫ-୭୫୧୮ ନମ୍ବରର କଳା ପଲସର ବାଇକ୍ ସହ ନଗଦ ୨୩ ଲକ୍ଷ ୯୯ ହଜାର ୭୯୭ଟଙ୍କା ଜବତ ହୋଇଛି।