୨୬ ଦାଦନ ଉଦ୍ଧାର : ୪ ଗିରଫ

ନୂଆପଡ଼ା,ଏନ୍ଏନ୍ଏସ୍: ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ ହେଉଥିବାବେଳେ ନୂଆପଡ଼ା ଜିଲ୍ଲା କୋମନା ପୁଲିସ ଶୁକ୍ରବାର ୨୬ ଜଣ ଦାଦନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୭ ଶିଶୁ ଅଛନ୍ତି। ଦାଦନଙ୍କୁ ଚାଲାଣ କରୁଥିବା ୨ ଶ୍ରମିକ ଦଲାଲ ସହ ୨ଜଣ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଦାଦନଙ୍କୁ ନେଉଥିବା ୨ ବୋଲେରୋ ମଧ୍ୟ ଜବତ କରାଯାଇଛି। ଉଦ୍ଧାର ଦାଦନ ଶ୍ରମିକମାନେ ସୁନାବେଡ଼ା ଅଭୟାରଣ୍ୟର ବିଭିନ୍ନ ଗାଁ’ର ହୋଇଥିବାବେଳେ ଦୁଇ ଦଲାଲ ତୁରକେଲା ଥାନା ରାମୁଡ଼ ଗାଁ’ର ରଘୁନାଥ ମୁଦୁଲି ଓ ପିପଲବାହାଲର ସରୋଜ ପରାଭୁଏ। ଗିରଫ ଡ୍ରାଇଭରମାନେ ହେଲେ କୋମନା ବ୍ଲକ୍ ସିଲେପାଣି ଗାଁ’ର ବସୁଦେବ ତାଣ୍ଡି (୨୪), ଲାଠୋର ଥାନା ପିପଲବାହାଲ ଗାଁ’ର ଇନ୍ଦ୍ର ମେହେର(୨୩)। ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି। ଦାଦନ ସମସ୍ୟା ରୋକିବା ପାଇଁ ନୂଆପଡ଼ା ଜିଲ୍ଲା ପୁଲିସ ଅଣ୍ଟା ଭିଡିଥିବାବେଳେ ବିଭିନ୍ନ ସମୟରେ ଚଢଉ କରି ଚାଲାଣ ହେଉଥିବା ଅନେକ ଶ୍ରମିକଙ୍କୁ ଉଦ୍ଧାର କରିଛି। କିଛିଦିନ ତଳେ କୋମନା ବ୍ଲକ ଲଖନା ଥାନା ପୁଲିସ ବଲଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ୧୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛି।

ସୂଚନା ଅନୁଯାୟୀ, ସୁନାବେଡ଼ା ଅଭୟାରଣ୍ୟ ବିଭିନ୍ନ ଗାଁରୁ ବେଆଇନ ଭାବେ ଦାଦନ ଚାଲାଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋମନା ପୁଲିସ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ଗତ ରାତିରେ ପାଟ୍ରୋଲିଂ ବେଳେ ସୁନାବେଡ଼ା ଅଭୟାରଣ୍ୟ ପାଦଦେଶରେ ଥିବା ବରକୋଟ ଗାଁ’ ସିଆରପିଏଫ କ୍ୟାମ୍ପ ନିକଟରେ ୨ଟି ଲେରୋରେ ଲୋକଙ୍କୁ ଦେଖି ପୁଲିସ ଅଟକାଇଥିଲା। ପଚରା ଉଚରା କରିବାରୁ ବେଆଇନ ଭାବେ ଦାଦନ ଚାଲାଣ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ୨ଟି ବୋଲରୋକୁ ଜବତ କରି ଦାଦନଙ୍କୁ ଉଦ୍ଧାର କରିଥିଲା।

ଉଦ୍ଧାର ଦାଦନମାନେ ହେଲେ ସୁନାବେଡ଼ାର ସମ୍ପୂର୍ଣ୍ଣ ରଣା (୪୦), ଲଳିତା ରଣା(୩୫), ରାମ କୂଳଦୀପ(୨୨), ଜ୍ୟୋସ୍ନା କୂଳଦୀପ (୨୦), ଦୁଷ୍ମନ୍ତ କୂଳଦୀପ(୮ମାସ), ରାଜକୁମାର କୂଳଦୀପ (୩୨), ସସ୍ମିତା କୂଳଦୀପ(୨୭), ଅନିତା କୂଳଦୀପ(୪), ଗୀତା କୂଳଦୀପ(୨), ସୁରତ କୂଳଦୀପ(୨୮), ହିରନ କୂଳଦୀପ(୨୫), ଅଞ୍ଜଳି କୂଳଦୀପ(୨), ପୁଞ୍ଚୁ କୂଳଦୀପ (୨୫), ରୁପାଇ ଦଣ୍ଡସେନା (୫୦), ଭୁବନେ କୂଳଦୀପ(୧୯), ତପେଶ୍ୱର କୂଳଦୀପ(୨୯), ପଦ୍ମା କୂଳଦୀପ(୨୫), ଆଶିକି କୂଳଦୀପ(୪), ପୁଷ୍ପାଞ୍ଜଳି କୂଳଦୀପ (୨୪), ଦିଲ୍ଲୀପ କୂଳଦୀପ(୨୫), ବେଦ କୂଳଦୀପ(୨୩), ଦୀପା କୂଳଦୀପ(୫), ଗୁଞ୍ଜନ କୂଳଦୀପ, ଚିନୁ କୂଳଦୀପ(୫୩) ଏବଂ ଗାତିବେଡ଼ା ଗାଁର ପୁନିତ ନାଗ(୨୨) ଓ ଟିକେମଣୀ ନାଗ(୨୨)।

କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ଅବଦୁଲ ସାଜିଦ ଖାନ ଓ ଦଲାଲ ହେମରାଜ ବାଗ ଉକ୍ତ ଦାଦନଙ୍କୁ ପୂର୍ବରୁ ଅଗ୍ରିମ ଆକାରରେ ଟଙ୍କା ଦେଇ ପରେ ଅଧିକ ଟଙ୍କା ଦେବାକୁ କହିଥିଲେ। ତେବେ ସର୍ଦ୍ଦାରଙ୍କ କହିବା ପରେ ୨ ଦଲାଲ ରଘୁନାଥ ଓ ସରୋଜ ୨ଟି ବୋଲରୋ ଯୋଗେ ସୁନାବେଡ଼ା ଯାଇ ଗତରାତିରେ ସମସ୍ତ ଦାଦନଙ୍କୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳର ଇଟାଭାଟି ଗୁଡ଼ିକରେ କାମ କରାଇବାକୁ ଚାଲାଣ କରୁଥିଲେ। ଦାଦନ ସର୍ଦ୍ଦାର ସମେତ ମୋଟ ୬ ଜଣଙ୍କ ନାମରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଲାଇଥିବା ଥାନାଧିକାରୀ ନିର୍ମଳଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।