ରାଜ୍ୟରେ ୨୩ ନୂଆ କରୋନା ପଜିଟିଭ; ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ଛୁଇଁଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୨୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୧୫, ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ପୁରୀ ଓ ବୈଦ୍ଧରୁ ଜଣେ ଲେଖାଏଁ ରହିଛନ୍ତି। ଏଥି ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଜାରି କରିଛି। ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୧୫ଜଣଙ୍କ ମଧ୍ୟରୁ ୧୩ ଜଣ ସୁରତ ଓ ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି। ଯାଜପୁରର ୩ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଁଚିଥିବା ବେଳେ ୧୧ଜଣ ସୁସ୍ଥ ହୋଇଛନ୍ତି ଓ ୪୬ଜଣଙ୍କର ଚିକିତ୍ସା ଚାଲିଛି। ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା୧୫୭ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁରରେ ଏହି ସଂଖ୍ୟା ୬୪ରେ ପହଁଚିଥିବାବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ବୌଦ୍ଧରୁ ଚିହ୍ନଟ ହୋଇଥିବା ୫ଜଣ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ,ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ହୋଇଥିବାବେଳେ ୮୫ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୩୪୯ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।