ଗୋଟିଏ ଦିନରେ ୨୩ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ଗୋଟିଏ ଦିନରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରଜରାଜନଗର ଅଞ୍ଚଳରୁ ୧୯ ଜଣ ଓ ଝାରସୁଗୁଡ଼ା ସହରର ୪ ଜଣ ବୋଲି ଜଣାପଡିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବ୍ରଜରାଜନଗର ଓପିଏମ୍ ଅଞ୍ଚଳର ୭ ଜଣ ମହିଳା, ୭ ଜଣ ପୁରୁଷ, ଥିବାବେଳେ ୩ ଜଣ ଶିଶୁ ଅଛନ୍ତି। ଶିଶୁମାନଙ୍କ ବୟସ ୧୩, ୫ ଓ ୨ ହୋଇଥିବାବେଳେ ପୁରୁଷମାନଙ୍କ ବୟସ ୩୫,୨୩, ୫୫, ୩୨, ୫୬, ୩୮, ୨୮ ଏବଂ ମହିଳାମାନଙ୍କ ବୟସ ୩୧, ୫୦, ୭୮, ୫୪, ୭୩, ୩୫, ୨୧ ବୋଲି ଜଣାପଡିଛି । ଏମାନେ ଦିଲ୍ଲୀରୁ ଆସି ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ଗତ ୬ ତାରିଖ ଦିନ କୋଲକାତାରୁ ବିମାନ ଯୋଗେ ଫେରି ସରବହାଲ ଅଞ୍ଚଳରେ ନିଜ ଘରେ ସଙ୍ଗରୋଧରେ ରହୁଥିବା ମହିଳା ଦ୍ୱୟ ମା(୫୦) ଝିଅ(୨୯) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚେନ୍ନାଇରୁ ଗତ ୧୨ ତାରିଖ ବିମନ ଯୋଗେ ଫେରି ଶଙ୍କର ହୋଟେଲରେ ଇନ୍ଷ୍ଟିଚ୍ୟୁସନାଲ କ୍ୱରେଣ୍ଟାଇନରେ ରହୁଥିବା ଜଣେ ୨୩ ବର୍ଷିୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗତ ୬ ତାରିଖ ହରିୟାଣାରୁ ଫେରି ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ନିଜ ଘରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୨୭ ବର୍ଷିୟ ବ୍ୟକ୍ତି କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇଜଣ ମଧ୍ୟ ବ୍ରଜରାଜନଗର ଅଞ୍ଚଳର ବୋଲି ଜଣାପଡିଛି।

ଜିଲ୍ଲାରେ ଆଜି ସଂଖ୍ୟାଧିକ କୋରନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଝାରସୁଗୁଡା କୋଭିଡ ହସ୍ପିଟାଲରେ କେତେ ଜଣଙ୍କୁ ରଖାଯିବ ଏବଂ ରାଉରକେଲାକୁ କେତେ ଜଣଙ୍କୁ ପଠାଯିବ ସେନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗୋଟିଏ ଦିନରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରାଶାସନର ଚିନ୍ତା ବଢିଛି। ଏହି ଅଞ୍ଚଳଗୁଡିକରେ କରୋନା ସଂକ୍ରମଣକୁ ରୋକାଯାଇ କିପରି ଜିଲ୍ଲାକୁ କରୋନା ମୁକ୍ତ କରାଯିବ ସେନେଇ ପ୍ରଶାସନ ଯୋଜନା ତିଆରି କରୁଛି। ସେହିପରି ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, କନ୍ଟାକ୍ଟ ଟ୍ରେସିଂ କରିବା ପ୍ରଶାସନ ଆରମ୍ଭ କରିବାସହ ଏହି ଅଞ୍ଚଳରେ କନ୍ଟେନ୍ମେଣ୍ଟ ଜୋନ ଓ ବଫର ଜୋନ ଘୋଷାଣ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି।