ବାଲିତୁଠ,ଏନ୍ଏନ୍ଏସ୍: ଦୀର୍ଘ ୨୨ ବର୍ଷ ତଳେ ସଂଗଠିତ ହୋଇଥିଲା ମହାବାତ୍ୟା। ସେହି ମହାବାତ୍ୟାର ଛାପ ଲିଭି ଲିଭି ଆସୁଥିବା ବେଳେ ଉପକୂଳ ଏରସମାବାସୀ କିନ୍ତୁ ଭୁଲି ପାରୁନାହାନ୍ତି ସେହି ହୃଦୟ ବିଦାରକ ଅନୁଭୂତିକୁ। ସେଦିନ ଥିଲା ୧୯୯୯ ଅକ୍ଟୋବର ୨୯ ତାରିଖ, ଗୁରୁବାର। ସାରାଦିନ ଝିପିଝିପି ବର୍ଷା ସହିତ ରାତି ତମାମ ଲାଗି ରହିଥିଲା ୭୦ରୁ ୮୦କିମି ପର୍ଯ୍ୟନ୍ତ ପବନ। ୩୦ ତାରିଖ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ସାତଟା। ହଠାତ୍ ବଢ଼ିଲା ପବନର ବେଗ। ସମଗ୍ର ଏରସମା ଅଞ୍ଚଳକୁ ଯେପରି କ୍ଷୀପ୍ର ଗତିରେ ମାଡ଼ି ଆସୁଥିଲା ମୃତ୍ୟୁର ଫାଶ। ସୁ ସୁ ଗର୍ଜନ କରି ପୂର୍ବ ଓ ଦକ୍ଷିଣ କୋଣରୁ ମାଡ଼ିଆସିଲା ମହାପ୍ରଳୟ। ବହିଲା ୩ଶହ କିମିରୁ ଊର୍ଦ୍ଧ୍ୱ ବେଗରେ ପବନ। ବଙ୍ଗୋପସାଗରରୁ ଉଠିଆସିଲା ୫ମିଟର ଉଚ୍ଚତାରେ ଜୁଆର। ଦୀର୍ଘ ୩୬ଘଣ୍ଟା ଧରି ଚାଲିଲା ମହାବାତ୍ୟାର ମହାତାଣ୍ଡବ। ପ୍ରକୃତିର କ୍ରୁରତାରେ ସେଦିନ ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଏରସମା ଅଞ୍ଚଳ। ପରଦିନ ଅର୍ଥାତ ୩୧ ତାରିଖ ଶନିବାର। ଏରସମା କେବଳ ଦେଖୁଥିଲା କୁଢ଼ କୁଢ଼ ଶବ। କେଉଁଠି ମା’କୋଳରେ ଛୁଆ ନଥିଲା ତ ସ୍ତ୍ରୀ ପାଖରେ ନଥିଲା ସ୍ୱାମୀ। ଦୁଗ୍ଧ ପୋଷ୍ୟ ଶିଶୁ ମାନଙ୍କର ମା’ ମା’ ଡାକ ସେଦିନ ମିଳେଇ ଯାଉଥିଲା ଶୂନ୍ୟରେ। ସବୁଠି କୁଢ଼କୁଢ଼ ଶବ। ଉଜୁଡ଼ି ଯାଇଥିଲା ଜଗତସିଂହପୁର ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବଙ୍ଗୋପସାଗର ସନ୍ନିକଟ ଏରସମା ଅଞ୍ଚଳ।
୪୦ ହଜାର ପରିବାର ବାସଚ୍ୟୁତ ହେଲେ। ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେ। ୩୨୪ ଜଣ ନିରାଶ୍ରୟା ବିଧବା ହୋଇଗଲେ। ୧ ଲକ୍ଷ ୧୭ ହଜାର ପ୍ରାଣୀସମ୍ପଦ ନଷ୍ଟହେଲା। ୫ ଲକ୍ଷରୁ ଊର୍ଦ୍ଧ୍ୱ ବୃକ୍ଷ ମାଟିରେ ଲୋଟିଲା। ଶ୍ରୀହୀନ ହୋଇପଡ଼ିଥିଲା ସମଗ୍ର ଅଞ୍ଚଳ। ସେହିପରି ୨୨୦ କିମି ଲୁଣା ଘେରିବନ୍ଧ ନଷ୍ଟହୋଇ ୨୩,୧୮୪ ହେକ୍ଟର ଚାଷଜମି ଲୁଣା ପ୍ଳାବିତ ହୋଇଗଲା। ସମଗ୍ର ବ୍ଲକ୍ ଅଞ୍ଚଳର ୨୯ ଟି ଉଠା ଜଳସେଚନ ପ୍ରକଳ୍ପ ନଷ୍ଟହୋଇ କୃଷି ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗିପକାଇଥିଲା। ସମଗ୍ର ଅଞ୍ଚଳ ୨ ମାସ ପର୍ଯ୍ୟନ୍ତ ରହିଥିଲା ଅନ୍ଧାରରେ। ବାତ୍ୟା ବିଭୀଷିକାର ବହୁ ଚର୍ଚ୍ଚିତ ଅନେକ କରୁଣ କାହାଣୀ ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଲା। ଜପା ପଞ୍ଚାୟତରେ ସର୍ବାଧିକ ୨,୨୦୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ପଞ୍ଚାୟତର ଧୋବେଇ ଜଙ୍ଗଲ ଗ୍ରାମରେ ୧,୨୩୫ ଜଣଙ୍କର ଜୀବନ ଯାଇଥିଲା। ଜିରାଇଲୋ ପଞ୍ଚାୟତର ସରବାପାଟ, ଯେଉଁଠି ମହାବାତ୍ୟାର ତାଣ୍ଡବଲୀଳା ଗ୍ରାସ କରିଥିଲା ସମଗ୍ର ଗାଁଟିକୁ, ସେଠାରେ ସମସ୍ତ ୮୪ ପରିବାର ଗୃହଶୂନ୍ୟ ହୋଇପଡ଼ିଲେ। ୨୨୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୯ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲେ। ଜୟଦେବ ସିଂଙ୍କ ପରିବାରରୁ ତାଙ୍କର ୪ ବର୍ଷର ଝିଅ ମାଳତୀ ଏକମାତ୍ର ବଞ୍ଚିରହିଥିଲା।
ସେହିପରି ବଳେଇପୁର ପଞ୍ଚାୟତ ନଳକଣି ଗ୍ରାମର ଭରତ ସ୍ୱାଇଁ ଓ ଶରତ ସ୍ୱାଇଁ। ଏଇ ଦୁଇଭାଇଙ୍କ ସହିତ ପରିବାରର ଅନ୍ୟ ସମସ୍ତ ୭ ଜଣ ସଦସ୍ୟ ପ୍ରାଣ ହରାଇଥିଲେ। ଏହି ଦୁଇପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ମହାବାତ୍ୟାର ସେହି କରୁଣ କାହାଣୀକୁ ବର୍ଣ୍ଣନା କଲାବେଳେ ବାରବାଟିଆ ଗ୍ରାମର କୁଳମଣି ପରିଡ଼ା(୮୧) କୁହନ୍ତି, ଆମେ ୬ ଜଣ ମଇଁଷିଆଳ ଜଟାଧାର ମୁହାଣ ନିକଟସ୍ଥ ବଡ଼ତଣ୍ଡା ଗାଈଗୁହାଳରେ ମଇଁଷି ରଖିଥିଲୁ। ଶୁକ୍ରବାର ଭୋର୍ ସମୟରେ ସମୁଦ୍ରରୁ ହଠାତ୍ ଜୁଆର ମାଡ଼ିଆସିଲା। ଆମ ସମସ୍ତଙ୍କୁ ଆଖି ପିଛୁଳାକେ ଭସେଇ ନେଲା। ମୁଁ ଭାସି ଭାସି ଯାଇ ଦୁଇ ମାଇଲ୍ ଦୂର ବଡ଼ ନଈ ପାଖ ଏକ ଝାଉଁ ଗଛ ଉପରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଦୁଇଦିନ ରହିଲି। ରବିବାର ସକାଳେ ପାଣି ଛାଡ଼ିଲା ପରେ ଗଛରୁ ଓହ୍ଲାଇ ୨ନଂ ଫରେଷ୍ଟ ବିଟ୍ ହାଉସରେ ଆଶ୍ରୟ ନେଲି। ସୋମବାର ଗାଁକୁ ଫେରିଲି। ସାଥିରେ ଥିବା ପୁତୁରା ଅକ୍ଷୟ ସମେତ ଅନ୍ୟ ସମସ୍ତ ମଇଁଷିଆଳ ମରିଯାଇଥିଲେ। ତାଙ୍କର ୨୫ଟି ମଇଁଷିରୁ ମାତ୍ର ୭ଟିକୁ ଜୀବିତାବସ୍ଥାରେ ପାଇଥିଲେ। ସେହିପରି ସରବାପାଟ ଗ୍ରାମର ଝାଟୁ ଦାସ ( ୬୪ ) ମହାବାତ୍ୟାର ସେହି କରୁଣ କାହାଣୀକୁ ବର୍ଣ୍ଣନା କରି ଆଖିରୁ ଲୁହ ପୋଛୁଥିଲେ। ପରବର୍ତ୍ତୀ ସମୟରେ ବାସ, ଖାଦ୍ୟ ଓ ବସ୍ତ୍ର ପାଇଁ ବାତ୍ୟା ବିପନ୍ନମାନେ ହାହାକାରରେ ଥିବା ବେଳେ ସ୍ୱାମୀ ନାରାୟଣ ସଂସ୍ଥା, ରାମକୃଷ୍ଣ ମିଶନ ପ୍ରଭୃତି କେତେକ ଧାର୍ମିକ ଅନୁଷ୍ଠାନ ସମେତ ଆର୍ଏସ୍ଏସ୍,ଏଫିକୋର, ଟାଟା ରିଲିଫ ଭଳି ଅନେକ ବେସରକାରୀ ସଂସ୍ଥା ଏରସମା ଅଞ୍ଚଳରେ ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।
ଶବ ସତ୍କାର, ଗୃହ ମରାମତି ଏବଂ ସ୍ୱାସ୍ଥ୍ୟସେବା ପ୍ରଭୃତିି ଯୋଗାଇ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ଇତିମଧ୍ୟରେ ମହାବାତ୍ୟାକୁ ପୂରିଛି ୨୨ ବର୍ଷ। ଏରସମାରେ ଅନେକ ପରିବର୍ତ୍ତନ ଆସିଛି। ଉଜୁଡ଼ା ଏରସମାକୁ ସଜାଡ଼ିବାରେ ଦୁଇ ପୂର୍ବତନ ବିଧାୟକ ଡା. ଦାମୋଦର ରାଉତ ଏବଂ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଭୂମିକା ପ୍ରଶଂସନୀୟ। ତେବେ ଅନେକ ସମୁଦ୍ରକୂଳିଆ ଅଞ୍ଚଳରେ ଏବେ ବି ବାତ୍ୟା ଆଶ୍ରୟସ୍ଥଳୀଟିଏ ନାହିଁ। ଝାଟିପାରି ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ଟିଏ ନିର୍ମାଣର ଆବଶ୍ୟକତା ରହିଛି। ଅନେକ ରାସ୍ତାଘାଟ ଏବେ ବି ଶୋଚନୀୟ ଅବସ୍ଥାରେ ରହିଥିବା କୁହନ୍ତି ଜପା ପଞ୍ଚାୟତ ସରପଞ୍ଚ ତପନ ଗଛାୟତ। ସେହିପରି ମହାନଦୀ ମୁହାଣ ଠାରୁ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ବ୍ୟାପକ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବା କୁହନ୍ତି, ଢିଙ୍କିଆ ସରପଞ୍ଚ କିଶୋର କୁମାର ପରିଡ଼ା। ଅନେକ ପରିବାର ବାତ୍ୟା ମୃତ୍ୟୁଜନିତ କ୍ଷତିପୂରଣ ଅର୍ଥ ପାଇନଥିବା ଅଭିଯୋଗ ବାଢ଼ନ୍ତି ଆଇନଜୀବୀ ସୁଶାନ୍ତ ମହାନ୍ତି। ସାମାନ୍ୟ ବାତ୍ୟା ପବନ କଥା ଶୁଣିଲେ, ମନେପଡ଼େ ୨୨ ବର୍ଷ ତଳର ସେହି ମହାବାତ୍ୟାର ବିଭୀଷିକା, ଯାହାକୁ ଅଙ୍ଗେ ନିଭାଇଥିଲେ ଏରସମାବାସୀ। ମହାବାତ୍ୟାକୁ ମନେପକାଇବା ପାଇଁ ଆଜି ବ୍ଲକ୍ ପ୍ରଶାସନ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରେ କେତେକ କାର୍ଯ୍ୟକ୍ରମର ଆୟୋଜନ ଚାଲିଛି। କେବଳ ମନେ ପକାଇବାପାଇଁ ନୁହେଁ, ବରଂ ଆଗାମୀ ଦିନରେ ଯଦି କେବେ ଅନ୍ୟ ଏକ ମହାବାତ୍ୟା ଆସେ, ତା’ର ସାମ୍ନା କରିବା ପାଇଁ ଉପକୂଳ ଏରସମାକୁ ଏକ ସବୁଜ ବଳୟ ମଧ୍ୟରେ ରଖିବା ଖୁବ୍ ଜରୁରୀ ବୋଲି ମତଦିଅନ୍ତି ପରିବେଶ ବିଜ୍ଞାନୀମାନେ।