୨୨ ସିଏଫଟି ଚୋରା ଗଛ ପଟା ଜବତ, ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବଞ୍ଜାରୀ ଜଙ୍ଗଲରୁ କାଠ ପଟା ଚୋରା ଚାଲାଣ କରୁଥିବାବେଳେ ବେଲପାହାଡ଼ ବନ ବିଭାଗ ଜଣେ ବ୍ୟକ୍ତିକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ଗୁମାଡ଼େରା ନୂଆପଡ଼ାର ମହମ୍ମଦ ମଞ୍ଜୁର ହସନ ବୋଲି ଜଣାପଡ଼ିଛି। ବନ ବିଭାଗ ତାଙ୍କ ନିକଟରୁ ୨୨ ସିଏଫଟି ଗଛ ପଟା, ଏକ ପିକଅପ ଗାଡ଼ି ଜବତ କରିଥିବା ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବକ, ବଞ୍ଜାରୀ ଜଙ୍ଗଲରୁ ବେଆଇନ ଭାବରେ ଗଛ ପଟା ଚାଲାଣ ହେଉଥିବା ନେଇ ବନ ବିଭାଗକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ପରେ ଲଖନପୁର ଫରେଷ୍ଟର ସୁନୀଲ କୁମାର ଭୋଇ, ବେଲପାହାଡ଼ ଫରେଷ୍ଟର ପ୍ରଦୀପ କୁମାର ନାୟକ, ଫରେଷ୍ଟ ଗାର୍ଡ ସୌଦାଗର କିସାନ, ଭାଗିରଥୀ ପ୍ରଧାନ, ସରୋଜ ନାୟକ, ତେଜସ୍ୱିନୀ ସା ଓ ବନ ବିଭାଗ କର୍ମଚାରୀମାନେ ବଞ୍ଜାରୀ ଜଙ୍ଗଲରେ ଚଢ଼ଉ କରିଥିଲେ। ସେଠାରୁ ହସନ ଏକ ପିକଅପ ଗାଡ଼ିରେ ଚୋରା ପଟା ନେଇ ଆସୁଥିବାବେଳେ ତାକୁ କାବୁ କରିଥିଲେ। ଯାଞ୍ଚ ସମୟରେ ହସନ ଗଛ ପଟା ନେବାର କୌଣସି ଆଇନଗତ କାଗଜପତ୍ର ଦେଖାଇ ନପାରିବାରୁ ବନ ବିଭାଗ ତାକୁ ଅଟକ ରଖି ପଚରାଉଚୁରା କରିଥିଲା। ପରେ ହସନ ଗଛ ପଟାଗୁଡ଼ିକୁ ବେଆଇନ ଭାବରେ ଚାଲାଣ କରୁଥିବା ଜାଣିପାରି ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଜବତ ପଟାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।