ରାଜ୍ୟରେ ଆଉ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟପୁଲରୁ ୨୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୬୦୨କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୨୦୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୨୭ ଜଣ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ୨୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣଙ୍କ ମାଲକାନଗିରି ଅଞ୍ଚଳର ୪୭ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି।

ତେବେ ରାଜ୍ୟରେ ବର୍ତ୍ତମାନ ୨ ହଜାର ୧୨୪ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ ୩ ଲକ୍ଷ ୨୭ ହଜାର ୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୧୮୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।