ଓଡ଼ିଶାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ଭାରତର ହକି ଅନ୍ତୁଡିଶାଳ ଭାବେ ବିବେଚିତ ସୁନ୍ଦରଗଡ ଜିଲ୍ଲାର ରାଉରକେଲାଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମ୍ରେ ୨୦୧୮ ହକି ବିଶ୍ୱକପ୍ର ବର୍ଷପୂର୍ତ୍ତି ଲାଗି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହା ଫଳରେ ଭାରତରେ ଚତୁର୍ଥ ଥର ଏବଂ ଏହା ମଧ୍ୟରୁ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱର ଏହି ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ହକି ଚାମ୍ପିଅନଶିପ୍ ଆୟୋଜିତ ହେବ।

ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାକୁ ଆଖିଆଗରେ ରଖି ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି (ଏଫଆଇଏଚ) ଏବଂ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କ ସହଯୋଗରେ କ୍ରମାଗତ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହକିି ବିଶ୍ୱକପର ୧୫ତମ ସଂସ୍କରଣ ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ‘ଆମେ ୨୦୧୮ ବିଶ୍ୱକପକୁ ଆୟୋଜନ କରିଥିଲୁ ଏବଂ ଆମେ ପୁଣିଥରେ ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ବିଶ୍ୱକପ୍ ଆୟୋଜନ କରିବାକୁ ଘୋଷଣା କରୁଛୁ’। ଏଥିରେ ଆପଣ ଖୁସି ତ? ମୁଁ ମଧ୍ୟ ଖୁସି।

କଳିଙ୍ଗ ଷ୍ଟାଡିୟମ୍ରେ ଭରପୂର ଦର୍ଶକଙ୍କ ସମ୍ମୁଖରେ ଆୟୋଜିତ ଏହି ଉତ୍ସବରେ ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି (ଏଫ୍ଆଇଏଚ୍) ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ମହମ୍ମଦ୍ ମୁସ୍ତାକ, ଓଡ଼ିଶା ହକି ଉନ୍ନୟନ ପରିଷଦ ଚେୟାରମ୍ୟାନ୍ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନସଚିବ ତଥା ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବସେବା ବିଭାଗ ଶାସନ ସଚିବ ତଥା କମିଶନର ବିଶାଳ ଦେବ, କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶକ ଭିନିଲକ୍ରିଷ୍ଣା ଓ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲିନା ନର୍ମାନ ପ୍ରମୁଖ ଉପସ୍ଥିତ ଥିଲେ।