ହରିଆଣାରେ ୨୦୨୧ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୨୦୨୧ ବର୍ଷର ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ହରିଆଣାରେ ଅନୁଷ୍ଠିତ ହେବ। ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଏହି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଆୟୋଜନ ହେବ ବୋଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟଟି ପଞ୍ଚକୁଲାରେ ଖେଳାଯିବ ବୋଲି ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଆଲୋଚନା ପରେ ଘୋଷଣା କରାଯାଇଛି।

ରିଜିଜୁ କହିଛନ୍ତି ଯେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ସାଧାରଣତଃ ଜାନୁଆରୀ ମାସରେ ଆୟୋଜିତ ହୋଇଆସିଛି। କିନ୍ତୁ କରୋନା ସଂକ୍ରମଣ କାରଣରୁ ଏହାକୁ ଆସନ୍ତା ବର୍ଷ ଯଥେଷ୍ଟ ବିଳମ୍ବରେ ଆରମ୍ଭ କରାଯିବ। ସେତେବେଳକୁ ଭାରତରେ କରୋନାଜନିତ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିବ ଓ ଦେଶର ପ୍ରତିଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ରିଜିଜୁ ଆଶାବାଦୀ ଅଛନ୍ତି। ଅଦ୍ୟାବଧି ଖେଲୋ ଇଣ୍ଡିଆର ତିନିଟିଯାକ ସଂସ୍କରଣ ହରିଆଣାରେ ଅନୁଷ୍ଠିତ ହୋଇଥିବା ବେଳେ ଗତ ଦୁଇଟି ସଂସ୍କରଣରେ ଦ୍ୱିତୀୟ ସ୍ଥାନରେ ରହିଥିଲା।

ତା’ଛଡ଼ା ପ୍ରଥମ ସଂସ୍କରଣରେ ହରିଆଣା ୧୦୨ଟି ପଦକ ହାସଲ କରି ଚାମ୍ପିଅନ୍ ମଧ୍ୟ ହୋଇଥିଲେ। ଖେଲୋ ଇଣ୍ଡିଆ ଆୟୋଜନ ସମ୍ପର୍କରେ ଖଟ୍ଟର୍ କହିଛନ୍ତି ଯେ ହରିଆଣାରେ ସବୁବେଳେ କ୍ରୀଡ଼ାକୁ ପ୍ରାଧାନ୍ୟ ଦିଆଯାଇଆସିଛି ଓ ରାଜ୍ୟ ନିଜର ଆଥଲେଟମାନଙ୍କୁ ପ୍ରୋତ୍ସାହିତ କରିଆସିଛି। ରାଜ୍ୟରେ ଏକ ଶକ୍ତିଶାଳୀ କ୍ରୀଡ଼ା ପରିବେଶ ସୃଷ୍ଟି କରିବା ଦିଗରେ ଖେଲୋ ଇଣ୍ଡିଆ ଯଥେଷ୍ଟ ମାତ୍ରାରେ ସହଯୋଗ କରୁଥିବା ଖଟ୍ଟର୍ କହିଛନ୍ତି। ସେହିପରି ଏହି କ୍ରୀଡ଼ାରେ ହରିଆଣାର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଆସିଛି ଓ ସଫଳ ଆଥଲେଟମାନଙ୍କୁ ଖେଲୋ ଇଣ୍ଡିଆ ସ୍କିମ୍ ମାଧ୍ୟମରେ ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି ବୋଲି ହରିଆଣା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ପଞ୍ଚକୁଲାରେ ବଡ଼ ଇଭେଣ୍ଟ୍ ଆୟୋଜନ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଉପଲବ୍ଧ ରହିଛି ଓ ଏଠାରେ ହଜାର ହଜାର ସଂଖ୍ୟାରେ ପ୍ରତିଯୋଗୀଙ୍କ ଅବସ୍ଥାପନ ପାଇଁ ମଧ୍ୟ ସୁବିଧା ଥିବା ଖଟ୍ଟର୍ କହିଛନ୍ତି। ସେହିପରି ରିଜିଜୁ କହିଛନ୍ତି ଯେ ହରିଆଣାରେ ଏକ ଶକ୍ତିଶାଳୀ କ୍ରୀଡ଼ା ଐତିହ୍ୟ ରହିଥିବା ବେଳେ ଏହା ଦେଶକୁ ଅନେକ ପ୍ରତିଷ୍ଠିତ ଖେଳାଳି ଦେଇପାରିଛି। ଖେଲୋ ଇଣ୍ଡିଆ ଆୟୋଜନ ଦ୍ୱାରା ରାଜ୍ୟରେ ଅଧିକରୁ ଅଧିକ ଯୁବ ପ୍ରତିଭା କ୍ରୀଡ଼ା କ୍ଷେତ୍ର ପ୍ରତି ଆଗ୍ରହୀ ହେବେ ବୋଲି ରିଜିଜୁ ଆଶା ପ୍ରକାଶ କରିଛନ୍ତି।