ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ୍ ଛପା!

ନୂଆଦିଲ୍ଲୀ, ଏଜେନ୍ସି : ବିଗତ କିଛିଦିନ ହେବ ଏଟିଏମରୁ ୨୦୦୦ ଟଙ୍କିଆ ନୋଟ୍ ବାହାରୁନଥିବା ଅଭିଯୋଗ ହେଉଥିଲା। ତେବେ ବଡ଼ନୋଟର ଛପାକୁ ବନ୍ଦ କରିଦିଆଯାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ସୂଚନାଧିକାର ଆଇନ ବଳରେ ଏ ସମ୍ବନ୍ଧରେ ଖୁଲାସା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ (ବିଆରବିଏନଏମପିଏଲ୍)ର ଏକ ଅଧିକାରୀ କହିଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟରୁ କଳାଧନ ଜମା କରାଯାଉଥିବା ସନ୍ଦେହ କରାଯାଇ ଏହାର ମୁଦ୍ରଣକୁ ହ୍ରାସ କରାଯାଇଛି। ତେଣୁ ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଛି। ବ୍ୟାଙ୍କ ଏବଂ ଲୋକଙ୍କ ଦ୍ୱାରା ମଧ୍ୟ ଏହାର ଚାହିଦା ହ୍ରାସ ପାଇଛି। ସାଧାରଣ ଜନତାଙ୍କୁ ବର୍ତ୍ତମାନ ଏତେ ବଡ଼ ନୋଟର ଆବଶ୍ୟକତା ନାହିଁ। କେବଳ ବିମୁଦ୍ରାକରଣ ସମୟରେ ହିଁ ଏହି ନୋଟର ଆବଶ୍ୟକ ରହିଥିଲା।

ବର୍ତ୍ତମାନ ସମୟରେ ୨୦୦୦ ଟଙ୍କିଆ ନୋଟରୁ କଳାଧନ ଜମା ହେବାର ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ଆରମ୍ଭରେ ବଡ଼ ନୋଟର ଛପାକୁ ବନ୍ଦ କରାଯାଇଛି ବୋଲି ଖବର ଆସିଥିଲା, କିନ୍ତୁ ସରକାର ଏହାକୁ ଅସ୍ୱୀକାର କରିଥିଲେ। ଅର୍ଥଶାସ୍ତ୍ରୀ ଏବଂ ଲେଖକ ଶେର ସିଂହ କହିଛନ୍ତି ଯେ ସମ୍ଭବତଃ ସରକାର ଅଧିକରୁ ଅଧିକ ନଗଦ ଟଙ୍କା ବା କଳାଧନ ରଖୁଥିବା ଲୋକଙ୍କୁ ରୋକିବା ଲାଗି ପ୍ରୟାସ ଚଳାଇଛନ୍ତି। ଏହା ବ୍ୟତୀତ ସରକାର ଅଧିକରୁ ଅଧିକ ଡିଜିଟାଲ୍ ନେଣଦେଣ ଚାହୁଁଛନ୍ତି। ଯାହାଫଳରେ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଧିକାର ଆଇନ ବଳରେ ଆରବିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ୨୦୧୬-୧୭ ଆର୍ଥିକବର୍ଷରେ ୩୫୪.୨୯୯୧ କୋଟି ନୋଟ୍ ଛପାଯାଇଥିଲା। ମାତ୍ର ୨୦୧୭-୧୮ ଆର୍ଥିକବର୍ଷରେ ଏଥିରେ ଅନେକ ପରିମାଣର ହ୍ରାସ ହୋଇଥିଲା ଏବଂ ମାତ୍ର ୧୧.୧୫୦୭ କୋଟି ନୋଟ୍ ଛପାଯାଇଛି। ଯାହା ୨୦୧୮-୧୯ ଆର୍ଥିକବର୍ଷରେ ଆହୁରି କମ୍ ହୋଇ ୪. ୬୬୯୦ କୋଟିକୁ ହ୍ରାସ ପାଇଛି।