ଉପନିର୍ବାଚନ ପାଇଁ କଟକଣାରେ କୋହଳ, ହଲ୍‌ରେ ଏକଜୁଟ୍ ହୋଇପାରିବେ ୨୦୦ ଲୋକ

ଭୁବନେଶ୍ୱର,ଏନ୍ଏନ୍‌ଏସ୍‌: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୋଭିଡ୍ କଟକଣାକୁ କୋହଳ କରିଛନ୍ତି । ପୂର୍ବରୁ ସର୍ବାଧିକ ୧୦୦ରୁ ଅଧିକ ଲୋକଙ୍କ ଏକାଠି ହେବା ନେଇ ରହିଥିବା କଟକଣାରେ ପରିବର୍ତ୍ତନ କରାଯାଇଛି । ଏବେ କୌଣସି ହଲ୍‌ରେ ୫୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ଏକାଠି ହୋଇପାରିବେ ବୋଲି ସ୍ପଷ୍ଟ କରାଯାଇଛି । ଖୋଲାସ୍ଥାନ ଓ ପଡ଼ିଆର ଆକାରକୁ ଦେଖି ସାମାଜିକ ଦୂରତା ସୁନିଶ୍ଚିତ ପୂର୍ବକ କେତେ ଲୋକେ ଏକାଠି ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିି ।

ଶନିବାର ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ କୌଣସି ହଲ୍‌ରେ ସର୍ବାଧିକ ୨୦୦ଜଣ ଲୋକ (ପ୍ରକୋଷ୍ଠର କ୍ଷମତାର ସର୍ବାଧିକ ୫୦%) ଏକଜୁଟ୍ ହେବା ନିମନ୍ତେ ଅନୁମତି ଦିଆଯାଇଛି । ତେବେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ପାଳନ, ହାତ ସାନିଟାଇଜ୍ କରିବା ସହ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଖୋଲା ସ୍ଥାନ ବା ପଡ଼ିଆର ପରିସରକୁ ଦେଖି ଜିଲ୍ଲା ପ୍ରଶାସନ ଲୋକଙ୍କ ଏକଜୁଟ୍ ହେବା ନିମନ୍ତେ ଅନୁମତି ଦେଇପାରିବ । ସାମାଜିକ ଦୂରତ୍ୱ ରଖି ଉକ୍ତ ପଡ଼ିଆରେ କେତେ ଲୋକ ଏକଜୁଟ୍ ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ ।

ପୂର୍ବରୁ ଅକ୍ଟୋବର ପହିଲାରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ଧାରା-୨ର ଉପଧାରା-ଘ’ରେ ଥିବା ପ୍ରାବଧାନରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସାମାଜିକ, ରାଜନୀତିକ, କ୍ରୀଡ଼ା, ଆମୋଦପ୍ରମୋଦ, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଜନଗହଳି ବା ଭିଡ଼ ଉପରେ କଟକଣା ଜାରି ହୋଇଥିଲା । ମାତ୍ର ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଏହାକୁ ଆଜି କୋହଳ କରିଛନ୍ତି ସରକାର ।