କେରଳ, କର୍ଣ୍ଟାଟକରେ ଲୁଚିଛନ୍ତି ୨୦୦ ଆଇଏସଆଇଏସ ଆତଙ୍କୀ

ନୂଆଦିଲ୍ଲୀ,ଏଜେନ୍ସି: ଦକ୍ଷିଣ-ଭାରତୀୟ ରାଜ୍ୟ କେରଳ ଓ କର୍ଣ୍ଣାଟକରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଓ ଅଲକାଇଦାର ଆତଙ୍କବାଦୀମାନ ଲୁଚି ରହିଥିବା ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଏହି ଆତଙ୍କୀ ସଂଗଠନରେ ଭାରତ, ପାକିସ୍ତାନ, ବାଂଲାଦେଶ, ମିଆଁମାରର ପ୍ରାୟ ୧୫୦ରୁ ୨୦୦ ଆତଙ୍କୀ ସାମିଲ ଅଛନ୍ତି। ସେମାନେ ଏସବୁ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଆଫଗାନିସ୍ତାନର କାନ୍ଦାହାର ରାଜ୍ୟ ସ୍ଥିତ ନିମରୁଜରୁ ଏହି ସଂଗଠନର ପରିଚାଳନା କରାଯାଉଥିବା କୁହାଯାଇଛି।

ଏହି ସଂଗଠନର ମୁଖ୍ୟ ହେଉଛି ଓସାମା ମେହେମୁଦ ଯିଏକି କୁଖ୍ୟାତ ଆତଙ୍କବାଦୀ ଅସିମ ଉମରର ମୃତ୍ୟୁପରେ କମାଣ୍ଡର ନିଯୁକ୍ତ ହୋଇଛି। ଅନ୍ୟପଟେ ଭାରତରେ ଆଇଏସଆଇଏସର ଶାଖା କୁହାଯାଉଥିବା ‘ହିନ୍ଦ ୱିଲାହ’ର ପ୍ରାୟ ୧୮୦ ରୁ ୨୦୦ ଆତଙ୍କବାଦୀ ଭାରତରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଲୁଚିରହିଛନ୍ତି ଏବଂ ବଡ ଧରଣର ଆକ୍ରମଣ କରିବା ମସୁଧା ଚଳାଇଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଆଇଏସଆଇଏସ ପକ୍ଷରୁ ଭାରତୀୟ ଶାଖା ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା। କଶ୍ମୀରରେ ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ସଂଗଠନ ବଡ ଧରଣର ସଂଘର୍ଷ କରିବାକୁ ଘୋଷଣା କରିଥିଲା। ସେହି ସମୟରେ ଶାଖାର ନାମ ‘ହିନ୍ଦ୍ ୱିଲାହ’ ବୋଲି ଘୋଷଣା କରାଯାଇଥିଲା।