୨ଶହ ପରିବାର ଜଳବନ୍ଦୀ, ପ୍ରତିବାଦରେ ରାସ୍ତା ରୋକ

ବଲାଙ୍ଗିର,ଏନ୍ଏନ୍ଏନ୍: ବଲାଙ୍ଗିର ସହରରେ ଗୁରୁବାର ରାତିରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଶୁକ୍ରବାର ସକାଳୁ ପ୍ରାୟ ଏକ ଘଣ୍ଟା ଧରି ମୂଶଳାଧାର ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ତଳି ଅଞ୍ଚଳ ଜଳମଗ୍ନ ହେବାସହିତ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଥିଲା। ବିଶେଷ କରି ମାଲପଡ଼ାର ତଳି ଅଞ୍ଚଳକୁ ବିଭିନ୍ନ ଆଡୁ ପାଣି ମାଡ଼ି ଆସିବାରୁ ପ୍ରାୟ ୨ଶହ ପରିବାର ଜଳବନ୍ଦୀ ହୋଇଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ। ଏହାସହ ବିକ୍ରମ ଛକରୁ ରେଳ ଷ୍ଟେସନ ଅଭିମୁଖେ ଯାଇଥିବା ରାସ୍ତାକୁ ଲୋକେ ତେଲିଗୋଡ଼ପଡ଼ା ଛକ ଠାରେ ଅବରୋଧ କରିଥିଲେ। ଲୋକେ ଦୀର୍ଘ ସମୟ ଧରି ଅବରୋଧ କରିବାପରେ ପୌରପରିଷଦ ନିର୍ବାହୀ ଅଧିକାରୀ ବିପିନ ଦୀପ ପୁଲିସ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାସହ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଲୋକେ ଦାବି କରିଥିଲେ। ତେବେ ଖୁବଶୀଘ୍ର ଡ୍ରେନଗୁଡ଼ିକ ମରାମତି କରାଯିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦୀପ ଲୋକଙ୍କୁ ପ୍ରତିଶ୍ରୁତି ଦେବାପରେ ପିରସ୍ଥିତି ସ୍ୱାଭାବିକ ହୋଇଥିଲା।