ନାବାଳିକାଙ୍କୁ ଦୁଷ୍କର୍ମକାରୀ ଡାକ୍ତରକୁ ୨୦ବର୍ଷ ଜେଲ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସଦର ଥାନା ଏବଂ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ବାଲିଧାରୀ ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଭଳି ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର। ଏହା ସହ ତାଙ୍କୁ ୨୮ହଜାର ଟଙ୍କା ଜୋରିମାନା ଆଦେଶ କରିବା ସହ ଜୋରିମାନା ଟଙ୍କା ଆଦାୟ ନହେଲେ ଅଧିକ ଏକ ବର୍ଷ ୧ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଧାରୀ ଗ୍ରାମର ଜାଦବ ସିଂଙ୍କ ପୁଅ ଡାକ୍ତର ଓରଫ ରାଧାମୋହନ ସିଂ। ପୀଡ଼ିତା ନାବାଳିକା ଜଣଙ୍କ କରିଥିବା ଅଭିଯୋଗ ଅନୁସାରେ, ସେ କୁରୁଡ଼ା ଅଞ୍ଚଳର ଜଣେ ଠିକାଦାର ଅଧୀନରେ କାମ କରନ୍ତି। ୨୦୧୭ମସିହା ଏପ୍ରିଲ ମାସ ୪ତାରିଖରେ ଜଣେ ନାବାଳିକାକୁ ଡାକ୍ତର ସାଙ୍ଗରେ କୁରୁଡ଼ାକୁ କାମ କରିବା ପାଇଁ ଯାଇଥିଲେ। ହେଲେ ରାଧାମୋହନ ତାଙ୍କୁ କୁରୁଡା ନନେେଇ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ରାଜଧାନୀ ଢାବା ନିକଟରେ ଥିବା ଏକ ହାଣ୍ଡିଆ ଭାଟି ପାଖରେ ଛିଡ଼ା କରାଇ ତାଙ୍କୁ ଶହେ ଟଙ୍କା ଯାଚିଥିଲେ।

ନାବାଳିକା ଜଣଙ୍କ ଶହେ ଟଙ୍କା ନନେବାରୁ ରାଧାମୋହନ ତାଙ୍କୁ ବଳପୂର୍ବକ ସେଠାରେ ଥିବା ଏକ ପୋଲ ତଳକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ପରେ ସେ ତାଙ୍କୁ ଏକ ଟ୍ରେକରରେ ବସାଇ କୁରୁଡ଼ାକୁ ନେଇଯାଇଥିଲା। ନାବାଳିକା ଜଣଙ୍କ କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ପରେ ରାତିରେ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ପରେ ନାବାଳିକାଙ୍କର ଦେହ ଖରାପ ହୋଇଥିବାରୁ ସେ ୨୭ତାରିଖ ଦିନ ହଳଦୀପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସଦର ଥାନାରେ ୫୧୨/୧୭ ନମ୍ବରରେ ଏକ ମାମଲା ରୁଜୁ କରି ରାଧାମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାକୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିଲେ।