ହୁକାବାର୍ ଉପରେ ଚଢ଼ଉ, ୨୦ହଜାର ଜୋରିମାନା

ଗଠନ ହେଲା ମଲ୍ଟିଡିସିପ୍ଲିନାରି ସ୍କ୍ୱାଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାର ରାଜଧାନୀର ଚନ୍ଦ୍ରଶେଖରପୁରରେ ଥିବା ‘ଉପ୍ରେ ବାର୍’ ଉପରେ ଏହି ସ୍କ୍ୱାଡ୍ ଚଢ଼ଉ କରିଥିଲେ। ଚଢ଼ଉ କରି ସମ୍ପୃକ୍ତ ବାର୍ ରୁ ନିକୋଟିନ୍ ଜାତୀୟ ଦ୍ରବ୍ୟ ବିପୁଳ ପରିମାଣରେ ଜବତ କରିଛନ୍ତିି। ଏ ନେଇ ସମ୍ପୃକ୍ତ ବାର୍ ଉପରେ ୨୦ହଜାର ଟଙ୍କାର ଜୋରିମାନା ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଦାୟ କରିଛି। ତେବେ ଜବତ ହୋଇଥିବା ନିକୋଟିନ୍ ଜାତୀୟ ଦ୍ରବ୍ୟ ସମେତ ଅନ୍ୟାନ୍ୟ ହୁକା ସାମଗ୍ରୀକୁ ପୁଲିସ ଜବତ କରି ପରୀକ୍ଷା ପାଇଁ ଫରେନ୍ସିକ୍ ଲାବ୍ କୁ ପଠାଇଛି। ପରୀକ୍ଷା ପରେ ଯଦି ଉକ୍ତ ସାମଗ୍ରୀ ଅନୁପଯୋଗୀ ଆସେ, ତା’ ହେଲେ ସମ୍ପୃକ୍ତ ବାର୍ ମାଲିକଙ୍କ ଉପରେ ଆଇନ୍ଗତ କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ସୂଚନା ମିଳିଛି।

ରାଜଧାନୀରେ ବେଆଇନ ହୁକାବାର ଚାଲିବା ସହ ନିକୋଟିନ ଯୁକ୍ତ ନିଶାଦ୍ରବ୍ୟ ବ୍ୟବହାର କରାଯାଉଥିବା ନେଇ ପୂର୍ବରୁ ବହୁ ସଂଖ୍ୟାରେ ଅଭିଯୋଗ ଆସିଥିଲ। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ହୁକାବାର୍ ଗୁଡ଼ିକ ଉପରେ ଚଢ଼ଉ କରିବା ନେଇ ନିଷ୍ପତି ନେଇଛି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏକ ସ୍କ୍ୱାଡ୍ ଗଠନ କରିଛନ୍ତି। ଗଠିତ ସ୍କ୍ୱାଡ୍ ରେ ଖାଦ୍ୟ ସୁରକ୍ଷା ଅଫିସର, ଡ୍ରଗ୍ସ ଇନ୍ସିପେକ୍ଟର, ଏକ୍ସସାଇଜ୍ ଅଫିସର୍ ଓ ପୁଲିସ ଅଫିସର୍ ଅଛନ୍ତି। ଏହି ସ୍କ୍ୱାଡ୍ ସହରରେ ଥିବା ସମସ୍ତ ହୁକାବାର ଉପରେ ଚଢ଼ଉ କରିବ। ଏଥିସହିତ ହୁକାରେ ବ୍ୟବହୃତ ସାମଗ୍ରୀର ପରୀକ୍ଷା କରିବ। ଉକ୍ତ ସାମଗ୍ରୀରେ ଯଦି କିଛି ତ୍ରୁଟି ଆସେ ତା’ ହେଲେ ସମ୍ପୃକ୍ତ ବାର୍ ଉପରେ ଜୋରିମାନା କଟାଯିବା ସହିତ ଲାଇସେନ୍ସ ରଦ୍ଧ ହେବାର ମଧ୍ୟ ସମ୍ଭାବନା ରହିଥିବା ଜଣାପଡ଼ିଛି।