ଟ୍ରକକୁ ଧକ୍କା ଦେଇ ଜଳିଗଲା ବସ୍, ୨୦ ଜୀବନ୍ତ ଦଗ୍ଧ

କନ୍ନୌଜ,ଏଜେନ୍ସି: ଉତ୍ତରପ୍ରଦେଶର କନ୍ନୌଜ ଜୋଟି ଜାତୀୟ ରାଜପଥରେ ଗତରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସମୟରେ ବସରେ ପାଖାପାଖି ୬୦ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୧ଜଣ ଗୁରୁତର ଅଛନ୍ତି। ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶର କେନୌଜ  ଜେଟି ରୋଡ ଜାତୀୟ ରାଜପଥରେ ଯାଉଥିବା ଏକ ଡବଲ ଡେକର ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ  ଗାଡିରେ ନିଆଁ ଲାଗି ଯାଇଥିଲା। ଡବଲ ଡେକର ବସ୍ ହୋଇଥିବାରୁ ଯାତ୍ରୀମାନେ ବାହାରିବା କଷ୍ଟକର ହୋଇଥିଲା। ତେଣୁ ଏତେ  ସଂଖ୍ୟାରେ ଯାତ୍ରୀଙ୍କ ଜୀବନ ଯାଇଛି। ବସର ଇନ୍ଧନ ଟାଙ୍କି ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ଘଟିଛି।

ବସଟି କନ୍ନୌଜର ଗୁରସହାୟଗଞ୍ଜରୁ ଜୟପୁର ଯାଉଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆହତଙ୍କ ପରିବାରକୁ ୫୦ ହଜାର ଓ ମୃତକଙ୍କ ପରିବାରକୁ ୨୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।