୩ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ

ଚମ୍ପୁଆ/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଦାମପୁରଠାରେ ଘଟି ଯାଇଥିବା ଗଣଦୁଷ୍କର୍ମ ମାମଲାରେ ମାନ୍ୟବର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗତ ୩/୬/୨୦୧୭ ରିଖ ଯୋଡା ଥାନା ଅନ୍ତର୍ଗତ ଦାମପୁର ଗ୍ରାମର ଜନୈକା ମହିଳା ତାଙ୍କର ସାନଭଇଣୀ ଏବଂ ୫ମାସର ଶିଶୁଙ୍କୁ ଧରି କର୍ମକ୍ଷେତ୍ରରୁ ଘରକୁ ଫେରୁଥିବା ସମୟରେ ସେହି ଗ୍ରାମର ପରମେଶ୍ୱର ନାଏକ, ଜିତୁ ନାଏକ, ପବିତ୍ର ନାଏକ ଶିଶୁଟିକୁ ମହିଳାଙ୍କ କୋଳରୁ ଛଡାଇ ପୋଖରୀ ହୁଡାରେ ଶୁଆଇ ଦେବା ସହ ସାନଭଉଣୀକୁ ଘଉଡାଇ ଦେଇ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ଘଉଡାଇ ଦେଇଥିବା ମହିଳାଙ୍କ ସାନଭଉଣୀ ଏସଂପର୍କରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଗ୍ରାମବାସୀମାନେ ଘଟଣାସ୍ଥଳକୁ ଆସି ଅଭିଯୁକ୍ତମାନଙ୍କୁ ଉଲଗ୍ନ ଅବସ୍ଥାରେ କାବୁ କରି ବିଲେଇପଦା ଫାଣ୍ଡିରେ ଜିମା ଦେଇଥିଲେ। ଏନେଇ ମହିଳାଙ୍କ ଭାଇ ମୁନା ମୁଣ୍ଡା ଯୋଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଯୋଡା ଥାନା କେଶ ନଂ ୬୫/୨୦୧୭ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା।

ଶନିବାର ଏହି ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଳଗୋବିନ୍ଦ ବାରିକ ୩ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଏବଂ ୧୦ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି।