୨୦ କୋଟିର ବନ୍ଧକ ସୁନା ଲୁଟ୍ ଘଟଣାର ଖୁଲାସା : ବ୍ୟାଙ୍କ୍ କର୍ମଚାରୀ ମାଷ୍ଟର ମାଇଣ୍ଡ

୨ କିଲୋଗ୍ରାମ୍ ସୁନା ଜବତ, ୭ ଅଟକ

କଟକ,ଏନ୍ଏନ୍ଏସ୍ : କଟକ ନୟାସଡ଼କସ୍ଥିତ ଆଇଆଇଏଫଏଲ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ମାଷ୍ଟରମାଇଣ୍ଡ ସମେତ ସମ୍ପୃକ୍ତ ୬ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ୍ ପୁଲିସ୍। ଅନ୍ୟ କେହିନୁହେଁ, ଖୋଦ୍ ବ୍ୟାଙ୍କର ଜଣେ କର୍ମଚାରୀ ହିଁ ଏହି ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ତାଙ୍କର ଜଣେ ସାଙ୍ଗ ଜରିଆରେ ଏକ ମନ୍ଦିରରେ ଲୁଟର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚରା ଜାରିରଖିବା ସହ ସେମାନଙ୍କ ନିକଟରୁ ୨ କିଲୋଗ୍ରାମ୍ ସୁନା ଜବତ ହୋଇଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଅଟକ ଅଭିଯୁକ୍ତମାନଙ୍କ ମଧ୍ୟରେ ବ୍ୟାଙ୍କ କର୍ମଚାରୀ ଲାଲା ଅମ୍ରିତ ରାୟ, ତାଙ୍କ ଭାଇ ଲାଲା ରଞ୍ଜନ ରାୟ, ରାଜକିଶୋର ସାହୁ, ପ୍ରଦୀପ୍ତ ବେହେରା, ପ୍ରକାଶ ସାହୁ, ସନ୍ତୋଷ ଭୋଇ ଓ ରଞ୍ଜନ ବେହେରା ରହିଛନ୍ତି । ସିପିଙ୍କ ସୂଚନା ମୁତାବକ କିଶୋରନଗର ଧରଣାପୁରର ଅମ୍ରିତ ଗତ ୫ବର୍ଷ ଧରି ନୟାସଡ଼କ ସ୍ଥିତ ଇଣ୍ଡିଆନ ଇନଫୋଲାଇନ ଫାଇନାନସ ଲିମିଟେଡ (ଆଇଆଇଏଫଏଲ) ସଂସ୍ଥାରେ କାର୍ଯ୍ୟ କରନ୍ତି । ଏହ ସଂସ୍ଥା ସୁନା ବନ୍ଧକ ରଖି ଋଣ ପ୍ରଦାନ କରିଥାଏ । ଅମ୍ରିତ ବହୁ ସୁନା ହେରଫେର କରି ପୂର୍ବରୁ ଆସୁଥିବା ଅଡିଟରମାନଙ୍କୁ ହାତକରି ଖସି ଯାଉଥିଲା । ମାତ୍ର ଗତ ସପ୍ତାହରେ ଶାଖାରେ ଯୋଗ ଦେଇଥିବା ଅଡିଟରଙ୍କୁ ନିଜ ଅକ୍ତିଆରକୁ ଅ।।ଣିବାରେ ବିଫଳ ହେବା ପରେ ତା’ର କଲେଜ ସାଙ୍ଗ ରଞ୍ଜନ ସହ ଆଲୋଚନା କରି ତା’ର ସାହାଯ୍ୟ ମାଗିଥିଲା । ଏହାପରେ ରଞ୍ଜନ ଓ ଅମ୍ରିତ ଲୁଟ୍ ପାଇଁ ପ୍ରସ୍ତୁତ କରିଥିଲେ ବ୍ଲୁପ୍ରିଣ୍ଟ। ବ୍ୟାଙ୍କରେ ସିସିଟିଭି କାର୍ଯ୍ୟ କରୁନଥିଲା। ଅ।।ଲାର୍ମ ବାଜୁ ନଥିଲା। ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ଥିଲେ। ଏସବୁ ଜଣାଥିଲା ଅମ୍ରିତକୁ। ଲୁଟର ପ୍ଲଟ୍ ତିଆରିହେଲା। ରଞ୍ଜନର ନିର୍ଦ୍ଦେଶରେ ରାଜକିଶୋର, ପ୍ରଦୀପ୍ତ, ପ୍ରକାଶ ଓ ସନ୍ତୋଷକୁ ଅ।।ଣି ଅମ୍ରିତ ବ୍ୟାଙ୍କରୁ ବୁଲାଇନେଲା । ପୂର୍ବ ଯୋଜନା ମୁତାବକ ଗୁରୁବାର ସକାଳ ୯ଟା ୫୦ରେ ବ୍ୟାଙ୍କ ଖୋଲିବା ମାତ୍ରେ ଆରମ୍ଭ ହୋଇଗଲା ଅପରେସନ୍। ୪ ଅଭିଯୁକ୍ତ ୨ଟି ବାଇକରେ ଆସି ବ୍ୟାଙ୍କରେ ପଶିଲେ। ବନ୍ଧୁକ ଦେଖାଇ ସିକ୍ୟୁରିଟି ଗାର୍ଡ ସମେତ ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ଘରେ ବନ୍ଦ କରିଦେଲେ। ସେମାନଙ୍କ ମୋବାଇଲ ଛଡ଼ାଇ ନେଲେ। ଜଣେ କର୍ମଚାରୀଙ୍କୁ ଲକର୍ ଖୋଲିବା ପାଇଁ ବାଧ୍ୟକଲେ। ପରେ ସେମାନେ ପୁଳା ପୁଳା ସୁନା ବ୍ୟାଗରେ ପୁରାଇ ଅନ୍ତର୍ଦ୍ଧାନ ହୋଇଗଲେ। ପୁଲିସ ସିସିଟିଭି ଯାଞ୍ଚ କରି ବାଇକ୍ ଦୁଇଟିକୁ ଚିହ୍ନଟ କରି ତଦନ୍ତ ଜାରି ରଖିଥିଲା ।

ଏଥିପାଇଁ ପୁଲିସ ୫ଟି ଟିମ୍ ଗଠନ କରି କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଗଞ୍ଜାମ ଆଦି ଜିଲ୍ଲାରେ ଚଢ଼ଉ କରି ତଦନ୍ତ ଜାରି ରଖିଥିଲା । ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଥମରୁ ପୁଲିସ ସ୍କାନରରେ ଥିଲେ । କର୍ମଚାରୀମାନେ ବାରମ୍ବାର ବୟାନ ବଦଳାଉଥିବାରୁ ସେମାନଙ୍କ ଉପରେ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ଅମ୍ରିତର ଭାଇ ରଞ୍ଜିତ ପୂର୍ବରୁ ମଙ୍ଗଳାବାଗ ମୁଥୁଟ ଫାଇନାନସରେ ଚାକିରୀ କରୁଥିଲା ଓ ସେଠାରୁ ୧ କିଲୋଗ୍ରାମ୍ ସୁନା ଚୋରୀ କରି ଜେଲ୍ ଯାଇଥିଲା। ସେହି ଘଟଣାରେ ଅମ୍ରିତ ଆଗୁଆ ଜାମିନ ପାଇଥିବା ତଦନ୍ତ ବେଳେ ଜାଣିପାରିଥିଲା ପୁଲିସ । ରଞ୍ଜିତ ଏହି ଘଟଣାରେ ସଂପୃକ୍ତ ରହି ସୁନାରୁ କିଛି ମନପୁରମରେ ନେଇ ବନ୍ଧା ପକାଇଥିବା ସ୍ୱୀକାର କରିଥିଲା । ଆଇଆଇଏଫଏଲ ପକ୍ଷରୁ ୨୦ କୋଟିର ସୁନା ଲୁଟ୍ ହୋଇଥିବା ଅଭିଯୋଗ କରାଯାଇଥିଲା । ତେବେ ପ୍ରକୃତରେ କେତେ ସୁନା ବ୍ୟାଙ୍କ୍ରେ ଥିଲା, କେତେ ଲୁଟ୍ ହୋଇଛି ତାହାର ତଦନ୍ତ ଜାରିରହିଛି। ସମସ୍ତ ୭ ଅଭିଯୁକ୍ତଙ୍କୁ ପୃଥକ୍ ପୃଥକ୍ ଭାବେ ପଚରା ଉଚରା ଚାଲିଥିବା ସିପି କହିଛନ୍ତି ।