ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିଲା ୨ଟି ଏକ୍ସ-ବିଆଇଏସ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ଦୁଇଟି ଏକ୍ସରେ ବ୍ୟାଗେଜ ଇନଫରମେସନ ସିଷ୍ଟମ (ଏକ୍ସ-ବିଆଇଏସ) ଲଗାଯାଇଛି। ଏହି ଦୁଇଟି ଏକ୍ସ-ବିଆଇଏସ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ଦ୍ୱାରା ବର୍ଜିତ ସାମଗ୍ରୀକୁ ଚିହ୍ନଟ କରିପାରିବ। ଫଳରେ ଯାତ୍ରୀମାନେ ସେମାନଙ୍କ ହ୍ୟାଣ୍ଡ ବ୍ୟାଗ ବା ଚେକଇନ ବ୍ୟାଗେଜ ବର୍ଜିତ ସାମଗ୍ରୀ ନେଇ ନେଇ ବିମାନ ବନ୍ଦର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଯାତ୍ରୀଙ୍କ ବ୍ୟାଗେଜରେ କୌଣସି ପ୍ରକାର ବର୍ଜିତ ସାମଗ୍ରୀ ଚିହ୍ନଟ ହେଲେ ସେମାନଙ୍କୁ ତାହା ବାହାରେ ରଖିବା ପାଇଁ କୁହାଯିବ। ଅଥବା ବିମାନ ବନ୍ଦର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଫଳରେ ବିମାନ ଯାତ୍ରା ସୁରକ୍ଷିତ ହୋଇପାରିବ।

ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏକ୍ସ-ବିଆଇଏସ ମେସିନ ଲଗାଯାଇଛି। ଏହା କାର୍ଯ୍ୟକ୍ଷମ ହେବା କୌଣସି ଯାତ୍ରୀ ଦ୍ୱାରା ଲୁକ୍କାୟିତ ଭାବରେ ମଧ୍ୟ ବର୍ଜିତ ସାମଗ୍ରୀ ନେଇ ବିମାନ ଯାତ୍ରା କରି ପାରିବେ ନାହିଁ। ଏହା ଦ୍ୱାରା ଝାରସୁଗୁଡ଼ା ବିମାନ ବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା ଆହୁରି ବୃଦ୍ଧି ପାଇଛି ବୋଲି ଶ୍ରୀ ସେନାପତି କହିଛନ୍ତି।