୨ ଶିଶୁ ଉଦ୍ଧାର: ପରିଚୟ ଖୋଜୁଛି ପୁଲିସ

ଦେବଗଡ଼, ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ମଣ୍ଡାଶିଳା ଗ୍ରାମ ଛକରୁ ଆଜି ସନ୍ଧ୍ୟାରେ ଦୁଇ ଅଚିହ୍ନା ଶିଶୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାରକୋଟ ଥାନା ପୁଲିସକୁ ଜିମା ଦେଇଥିବାବେଳେ ବାରକୋଟ ଥାନା ପୁଲିସ ଏବେ ଉଦ୍ଧାର ଶିଶୁଙ୍କ ପରିଚୟ ଖୋଜିବାରେ ଲାଗିପଡିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମଣ୍ଡାଶିଳା ଗ୍ରାମ ଛକରେ ୬ ଓ ୭ ବର୍ଷର ଦୁଇଜଣ ଶିଶୁପୁତ୍ର କାନ୍ଦୁଥିବା ଦେଖି ଗ୍ରାମର କେତେକ ଯୁବକ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ପରିଚୟ ପଚାରିଥିଲେ ମଧ୍ୟ ଶିଶୁମାନେ କୌଣସି ଉତ୍ତର ଦେଇ ପାରିନଥିଲେ । ଫଳରେ ସ୍ଥାନୀୟ ଯୁବକମାନେ ରାତି ପ୍ରାୟ ୮ ଟା ସମୟରେ ଉକ୍ତ ଶିଶୁମାନଙ୍କୁ ବାରକୋଟ ଥାନା ପୁଲିସକୁ ଜିମା ଦେଇଥିଲେ।

ପଚାରଉଚୁରା ବେଳେ ଶିଶୁମାନେ ସଠିକ କିଛି କହିପାରୁନଥିବାରୁ ପୁଲିସ ଆଖପାଖ ଥାନାକୁ ସୂଚନା ଦେଇ ଶିଶୁଙ୍କ ତଥ୍ୟ ଖୋଜୁଛି। ସେମାନଙ୍କୁ ଦେବଗଡ଼ ସ୍ଥିତ ଶିଶୁ ଆଶ୍ରୟ ଗୃହକୁ ପଠାଇବାକୁ ପ୍ରସ୍ତୁତ ହେଉଥିବା ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ସୂଚନା ଦେଇଛନ୍ତି।