ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ୨ ଟ୍ରାଫିକ୍ କନେଷ୍ଟବଳ ନିଲମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ରୁପାଲି ଛକରେ ଟ୍ରାଫିକ ପୁଲିସ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମ୍ପୃକ୍ତ ଦୁଇ ଟ୍ରାଫିକ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ କରିଛନ୍ତି ।

ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ଏ ନେଇ ପ୍ରତ୍ୟେକ ଟ୍ରାଫିକ୍ ପୋଷ୍ଟରେ କଡ଼ାକଡ଼ି ଭାବେ ଟ୍ରାଫିକ୍ ଯାଞ୍ଚ ଚାଲିଛି। ଏହି କ୍ରମରେ ରୁପାଲି ଛକରେ ୨ଜଣ ଟ୍ରାଫିକ ପୁଲିସ ଡ୍ୟୁଟି ଆଳରେ ମଦ୍ୟପାନ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ନିଜ ପୋଷ୍ଟଛାଡ଼ି ମଦ୍ୟପାନ କରୁଥିବାରୁ ଉକ୍ତ ଦୁଇ ଟ୍ରାଫିକ ପୁଲିସ କନେଷ୍ଟେବଳଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାପରେ ଆଜି ଭୁବନେଶ୍ୱର ଡିସିପି ଅନୁପ ସାହୁ ଦୁଇଜଣଙ୍କୁ ନିଲମ୍ବନ କରିଛନ୍ତି।