୨ ଆତଙ୍କବାଦୀଙ୍କୁ ଧରିଲା ଭାରତୀୟ ସେନା

ଭାରତ-ପାକ୍ ସୀମାରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଲସ୍କର-ଇ-ତଇବାର ୨ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ପକ୍ଷରୁ ଗିରଫ କରାଯାଇଛି। ଏ ନେଇ ଚିନ୍ନାର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଡଲ୍ଲନ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଖଲିଲ୍ ଅହମ୍ମଦ ଓ ମୋଜମ୍ ଖୋକର ନାମକ ଦୁଇ ଆତଙ୍କବାଦୀ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀ ବେଳେ ଗିରଫ ଆତଙ୍କବାଦୀଙ୍କ ଭିଡିଓ ଜାରି କରିଛନ୍ତି ଏଡିଜି ମୁନୀର ଖାନ। ଏହି ଦୁଇ ଆତଙ୍କବାଦୀ ଲାଇନ୍ ଅଫ୍ କଣ୍ଟ୍ରୋଲ୍(ଏଲ୍ଓସି) ପାର କରି ପ୍ରବେଶ କରିଥିଲେ। ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଜମ୍ମୁ ଓ କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ ବନାଇବାର ଅପଚେଷ୍ଟା ଚଳାଇଛି। ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଏଥିରେ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସେନା ଅଧିକାରୀ। ସୂଚନାଯୋଗ୍ୟ, ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଜମ୍ମୁ ଓ କଶ୍ମୀର ବାରମୂଳାରୁ ଏହି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଭାରତୀୟ ସେନା।