ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ନାରାୟଣପୁର ଜିଲ୍ଲା ସୋନପୁର ଏବଂ କୁକରାଜ ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆଇଟିବିପିର ୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଗୁରୁତର ହୋଇଛନ୍ତି। ସହିଦ ୨ ଯବାନ ହେଲେ ଏନ୍ ବାଲାଛାମି ଓ କାନକର ଉସେଣ୍ଡି। ଆହତ ଯବାନ ବାଙ୍କେଶ୍ୱର ପାଇକରାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ସୂଚନା ଅନୁସାରେ ଆଜି ଭୋରରେ ଆଇଟିବିପିର ୫୩ ତମ ବାଟାଲିୟନର ଯବାନମାନେ ମାଓ ଦମନ ଅପରେସନରେ ବାହାରିଥିଲେ। ତେବେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।