ଆରବିଏସକେ ଯୋଜନାର ସଫଳତା, ଶ୍ରବଣ ଶକ୍ତି ଫେରିପାଇଲେ ଦୁଇ ଝିଅ

ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ୫.୨ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବହନ କରିଛି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦୁଇ ଝିଅଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ଆଣିଛି। ଦୁଇ ଝିଅ ଶ୍ରବଣ ଶକ୍ତି ହରାଇଥିଲେ। ଏହି ଦୁଇ ଝିଅଙ୍କ ଏମ୍ସ ଭୁବନେଶ୍ୱରଠାରେ କକେଲାୟାର ଚିକିତ୍ସା କରାଯାଇଛି। ଫଳରେ ଦୁଇ ଝିଅ ଶ୍ରବଣ ଶକ୍ତି ଫେରିପାଇଛନ୍ତି। ବର୍ତ୍ତମାନ ସେମାନଙ୍କ ମୁହଁରେ ହସର ଛାୟା ଖେଳିଯାଇଛି।

ଏହି କକେଲାଇୟାର ପ୍ରତିରୋପଣ ଚିକିତ୍ସା ସାଧାରଣତଃ ବ୍ୟୟ ବହୁଳ। ଏହି କକେଲାଇୟାର ପ୍ରତିରୋପଣ ଚିକିତ୍ସା କରିବା ଜଣେ ସାଧାରଣ ଓ ଗରିବ ଲୋକଙ୍କ ପାଇଁ ସହଜ କଥା ନୁହେଁ। ହେଲେ ଏହି ଯୋଜନା ଦୁଇ ଝିଅଙ୍କ ଜୀବନରେ ନୂଆ ସମ୍ବାବନା ସୃଷ୍ଟି କରିଛି। କୋରାପୁଟ ଜିଲ୍ଲାର ଦାମନଯୋଡ଼ି ବଳଭଦ୍ର ଜାନିଙ୍କ ୪ବର୍ଷର ଝିଅ କୌଶଲ୍ୟା ଜାନି ଓ ବୋରିଗୁମା ବ୍ଲକ୍ ଶଶାହାଣ୍ଡିର ଲିଙ୍ଗରାଜ ନାୟକଙ୍କ ୫ବର୍ଷର ଝିଅ ସନ୍ଧ୍ୟାରାଣୀ ନାୟକଙ୍କୁ ଏହି ପ୍ରତିରୋପଣ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ୫.୨ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବହନ କରିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଶିଶୁଙ୍କ ଜନ୍ମଗତ ରୋଗ, ପୁଷ୍ଟିହୀନତା, ଭିନ୍ନକ୍ଷମ, ମାନସିକ ବିକାରଗ୍ରସ୍ତ, ଦୃଷ୍ଟିଶକ୍ତିଠୁ ଆରମ୍ଭ କରି ବିଭିନ୍ନ ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କ୍ୟାମ୍ପ ମଧ୍ୟମରେ ଡାକ୍ତରୀ ଦଳ ବୁଲି ବୁଲି ଏହି ଭଳି ଶିଶୁଙ୍କୁ ଚିହ୍ନଟ କରିବେ। ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବା ଯୋଗାଇର ବ୍ୟବସ୍ଥା ମଧ୍ୟ କରିବେ। ଏହି ପାଇଁ ଆବଶ୍ୟକ ହେଉଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବାର ବ୍ୟବସ୍ଥା ରହିଛି।

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଯୋଜନାରେ ଏହି ଦୁଇ ଝିଅଙ୍କୁ ଡିଇଆଇସି କେନ୍ଦ୍ରରେ ଚିହ୍ନଟ କରାଯାଇଥିଲା। ଏହି ଡିଇଆସି କେନ୍ଦ୍ର ଏମ୍ସରେ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲା। ନିକଟ ଅତୀତରେ ରାଜ୍ୟ ସରକାର ଏମ୍ସ ଭୁବନେଶ୍ୱର ସହିତ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ବାବଦରେ ଚିକିତ୍ସା କରିବା ଲାଗି ଏମଓୟୁ କରିଥିଲେ। ଯାହାର ସଫଳତା ଏହି ଦୁଇ ଝିଅ ପାଇଛନ୍ତି।