୨ଟି ରେଳ ପ୍ରୋଜେକ୍ଟକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ମୋଦୀ ସରକାର ୨ଟି ରେଳ ପ୍ରୋଜେକ୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ରତମାଲ ରେଳଲାଇନର ଦୋହରୀକରଣକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏହାଦ୍ୱାରା ଚିତ୍ତୋଡ଼ ଓ ଏହାର ଆଖପାଖ ଲୋକଙ୍କୁ ସୁବିଧା ମିଳିବ। ଅନ୍ୟପଟେ ଗୁଜରାଟର ରାଜକୋଟ ଓ କାଲାନାସର ୧୧୧ କିମି ଲାଇନକୁ ବି ଦୋହରୀକରଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି କାମ ୩ ବର୍ଷ ମଧ୍ୟରେ ଶେଷ କରାଯିବ।

ସେହିପରି ପୀଏମ୍ ପୋଷଣ ଶକ୍ତି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଦ୍ୱାରା ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ଦ୍ୱିପ୍ରହର ଭୋଜନ ଦିଆଯିବ। ଏଥିରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ମିଡ ଡେ’ ମିଲ ଯୋଜନାକୁ ବିସ୍ତାର କରିବା ପାଇଁ ମୋଦୀ ସରକାର ପଦକ୍ଷେପ ନେଇଛନ୍ତି। ଏହି ଯୋଜନା ଏବେ ପ୍ରଥମ ଶ୍ରେଣୀ ବଦଳରେ ନର୍ସରୀରୁ ଆରମ୍ଭ କରାଯିବ। ଏଥିରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି।