ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ତେଲେଙ୍ଗାନା,ଏଜେନ୍ସି: ରବିବାର ଅପରାହ୍ଣରେ ତେଲେଙ୍ଗାନାର ବିକାରବାଦ ଜିଲ୍ଲାର ସୁଲତାନପୁର ଗାଁରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ମୃତ ପୁରୁଷ ପାଇଲଟ ଜଣଙ୍କ ନାମ ପ୍ରକାଶ ବିଶାଲ ହୋଇଥିବା ବେଳେ ମହିଳା ପାଇଲଟଙ୍କ ପରିଚୟ ମିଳିନାହିଁ। ପ୍ରଶିକ୍ଷଣ ବିମାନଟି ସୁଲତାନପୁର ଗାଁରେ ତଳକୁ ଖସି ପଡ଼ିଥିଲା। ଗ୍ରାମବାସୀ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ମହାରାଷ୍ଟ୍ରର ଶିରପୁରାଠାରେ ମଧ୍ୟ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।