ପାଟଣାଗଡ଼,ଏନ୍ଏନ୍ଏସ୍: ଗତକାଲି ସଂଧ୍ୟାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ଅନ୍ତର୍ଗତ ବନମାଲ ଗ୍ରାମରେ ନବ ନିର୍ବାଚିତ ସମିତିସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ (୫୧)ଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ଏହି ଘଟଣାର ୨ ମୁଖ୍ୟ ଅଭିଯୁକ୍ତଙ୍କୁ ବେଲପଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ହୋଇଥିବା ୨ ଅଭିଯୁକ୍ତ ହେଲେ ପାଟଣାଗଡ ସହର ରାମପାଲିର ରବି ଷାଣ୍ଢ ଏବଂ ପାଟଣାଗଡ ବ୍ଲକ୍ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ଝୁଲେନବର ଗ୍ରାମର ସୀତାରାମ ବିନ୍ଧାଣୀ ବୋଲି ଜଣାଯାଇଛି। ଏହି ୨ ଅଭିଯୁକ୍ତ ସୁପାରୀ କିଲର ଭାବରେ କାର୍ଯ୍ୟ କରିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ଗତ ସୋମବାର ସନ୍ଧ୍ୟାରେ ରାତ୍ରୀ ଭୋଜନ ସାରି ଲୋକନାଥ ନିଜ ଘରେ ଏକ ଚୌକିରେ ବସିଥିବା ବେଳେ ତାଙ୍କ ଧର୍ମପତ୍ନୀ ନିକଟରେ ଏକ ଖଟିଆରେ ନିଜ ନାତି ନାତୁଣୀଙ୍କ ସହ ବସିଥିଲେ। ରାତି ପ୍ରାୟ ୮ ଘଣ୍ଟା ବେଳେ ୫ ଜଣ ଦୁର୍ବୃତ୍ତ ବାଇକରେ ଆସିବା ସହ ସେମାନଙ୍କ ମଧ୍ୟରୁ ୨ ଜଣ ଲୋକନାଥଙ୍କ ପାଖକୁ ଆସି ତାଙ୍କ ଛାତିରେ ବନ୍ଧୁକ ଲଗାଇ ଆଖିବୁଜା ଗୁଳି ଚଳାଇ ଫେରାର ମାରିଥିଲେ।
ଗ୍ରାମବାସୀ ନିକଟବର୍ତ୍ତୀ ସମସ୍ତ ପୁଲିସ ଥାନାକୁ ଖବର ଦେବା ପରେ ଲାଠୋର ପୁଲିସ ଲାଠୋର-ଧଅଁରାଖମନ ରାସ୍ତାରେ ଥିବା ଏକ ନାଳ ନିକଟରେ ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ପୁଲିସ ଉପରକୁ ଫାଙ୍କା ଗୁଳିଚାଳନା କରି ଫେରାର ମାରିଥିଲା। ସେଠାରୁ ପୁଲିସ କାବୁ କରିଥିବା ୨ ଜଣ ରବି ଷାଣ୍ଢ ଏବଂ ସୀତାରାମ ବିନ୍ଧାଣୀ ବୋଲି ପୁଲିସ ସୂଚନା ଦେଇଛି। ଉକ୍ତ ୨ ଜଣ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି। ବେଲପଡା ଥାନାରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨/୩୪, ୨୫/୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।
ପୁଲିସ ଗଣମାଧ୍ୟମ ସାମ୍ନାରେ ଏହି ମାମଲା ସଂପର୍କରେ ମୁହଁ ଖୋଲୁନଥିବା ବେଳେ ଆଜି ଅତ୍ୟନ୍ତ ତରବରିଆ ଭାବରେ ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଏହି ମାମାଲରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ନିଜ କବ୍ଜାରେ ରଖି ଅଧିକ ତଦନ୍ତ ଚଳାଇଛି। ଆସନ୍ତାକାଲି ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ହତ୍ୟାକାଣ୍ଡ ଏବଂ ଷଡଯନ୍ତ୍ରରେ ସାମିଲ ସମସ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।