ଜି-୨୦ ସମ୍ମିଳନୀରେ ସାମିଲ ହେବେ ଓଡ଼ିଶାର ୨ ଚାଷୀ

ଜୟପୁର,ଏନ୍‌ଏନ୍‌ଏସ୍‌: ଭାରତରେ ପ୍ରଥମଥର ପାଇଁ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚାଷୀମାନେ ମାଣ୍ଡିଆ ଚାଷ ଉପରେ ରାଷ୍ଟ୍ରମୁଖ୍ୟଙ୍କୁ ନିଜ ଅଭିଜ୍ଞତା ବଖାଣିବେ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୯ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶ ଅଂଶଗ୍ରହଣ କରିବେ ।

ଖାସ୍ କଥାଟି ହେଲା, ଏଥିରେ ଓଡ଼ିଶାର ୨ ଚାଷୀଙ୍କୁ ସାମିଲ ହେବାର ସୁଯୋଗ ମିଳିଛି । ସେମାନେ ହେଲେ କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳର ଆଦିବାସୀ ମହିଳା ଚାଷୀ ରାଈମତି ଘିଉରିଆ ଓ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକ୍ ଗୋଇଲି ଗାଆଁର ଚାଷୀ ସୁବାସ ମହନ୍ତ । ମହିଳା ଚାଷୀ ରାଇମତି ଘିଉରିଆ ଆଜି ଦିଲ୍ଲୀ ଅଭୁମୁଖେ ବାହାରିବେ । ଏଥିଲାଗି ସେ ନିଜେ ଖୁସି ଥିବାବେଳେ ତାଙ୍କ ଗାଁରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଉକ୍ତ ସମ୍ମିଳନୀରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ଅତିଥିଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଯିବ ।