ଓସାକାଙ୍କୁ ୨ୟ ଅଷ୍ଟ୍ରେଲିଆନ୍ ଓପନ୍‌ ଟାଇଟଲ

ମେଲ୍‌ବୋର୍ଣ୍ଣ,ଏଜେନ୍ସି: ଜାପାନର ନାଓମି ଓସାକା ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ ଚମ୍ପିଆନସିପ ଅଷ୍ଟ୍ରେଲିଆନ୍ ଓପନ‌ରେ ମହିଳା ସିଙ୍ଗଲ‌ସ ଟାଇଟଲ ଜିତିଛନ୍ତି। ଶନିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଓସାକା ୨୨ନଂ ସିଡ୍ ଆମେରିକାର ଜେନିଫର ବ୍ରାଡିଙ୍କୁ ସହଜରେ ୬-୪, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନରେ ଏହା ଓସାକାଙ୍କର ୨ୟ ଏବଂ ମୋଟ ଉପରେ ୪ର୍ଥ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ‌ସ ଟାଇଟଲ। ୩ୟ ସିଡ୍ ଓସାକା ମାତ୍ର ୨୩ ବର୍ଷ ବୟସରେ ୪ର୍ଥ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ‌ସ ଟାଇଟଲ ଜିତି ପାରିଛନ୍ତି। ୨୬ନଂ ସିଡ୍ ଚେକ୍ ରିପବ୍ଲିକ୍‌ର କାରୋଲିନା ମୁଚୋଭାଙ୍କୁ ବ୍ରାଡି ସହଜରେ ପରାସ୍ତ କରିଥିଲେ ହେଁ ଓସାକାଙ୍କ ଅଭିଜ୍ଞତା ନିକଟରେ ହାର ମାନିଥିଲେ।

ଗତ ୟୁଏସ୍‌ ଓପନରେ ମଧ୍ୟ ମହିଳା ସିଙ୍ଗଲସ ଜିତିଥିବା ନାଓମି ଓସାକା ଏହାକୁ ମିଶାଇ କ୍ରମାଗତ ୨ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି। ଫାଇନାଲ ମ୍ୟାଚରେ ଓସାକା ପ୍ରଥମ ସେଟ‌ରେ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରି ପାରିନଥିଲେ ହେଁ ଏହାକୁ ୬-୪ରେ ଜିତି ନେଇଥିଲେ। ତେବେ କ୍ରମାଗତ ୬ଟି ଗେମ୍ ଜିତି ଓସାକା ୨ୟ ସେଟରେ ୪-୦ରେ ଆଗୁଆ ହୋଇଯିବା ପରେ ମ୍ୟାଚର ଫଳାଫଳ ସ୍ପଷ୍ଟ ହୋଇ ଯାଇଥିଲା। ମ୍ୟାଚ‌ର କୌଣସି ସମୟରେ ଲାଗିନଥିଲା ଯେ ଜେନିଫର ବ୍ରାଡି ମ୍ୟାଚକୁ ଫେରିପାରିବେ। ଅନ୍ୟପକ୍ଷରେ କିଛି ନାମୀ ଖେଳାଳିଙ୍କୁ ପଛରେ ପକାଇ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିଲେ ହେଁ ବ୍ରାଡି ନିରାଶ ହୋଇଛନ୍ତି।