ବ୍ୟାଙ୍କ ସମ୍ମୁଖରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଟାଉନ ଥାନା ଜେଲ ଛକ ନିକଟସ୍ଥ ଆଇଡିଏଫସି ବ୍ୟାଙ୍କ ସମ୍ମୁଖରୁ ଜଣେ ବ୍ୟବସାୟୀଙ୍କ କାରରେ ଥିବା ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଯଯାତି ବେହେରା ନାମକ ଜଣେ ଅଣ୍ଡା ବ୍ୟବସାୟୀ ଗୋଟିଏ ବ୍ୟାଗରେ ୮ ଲକ୍ଷ ଟଙ୍କା ଓ ଅନ୍ୟ ଏକ ବ୍ୟାଗରେ ୨ଲକ୍ଷ ୩୦ ହଜାର ଟଙ୍କା ଧରି ମାରୁତି କାରରେ ନରଣପୁରରୁ ପ୍ରଥମେ ଜେଲ ଛକରେ ଥିବା ଆଇଡିଏଫସି ବ୍ୟାଙ୍କରେ ୮ ଲକ୍ଷ ଟଙ୍କା ବ୍ୟାଗ ନେଇ ଡିପୋଜିଟ କରିବାକୁ ଯାଇଥିଲେ । ସେତେବେଳେ କାରରେ ତାଙ୍କ ସମ୍ପର୍କୀୟ ସଞ୍ଜୟ କୁମାର ସାହୁ ସମ୍ମୁଖ ସିଟରେ ବସିଥିଲେ ଏବଂ ୨ଲକ୍ଷ ୩୦ ହଜାର ଥିବା ବ୍ୟାଗଟି କାରର ପଛରେ ଥୁଆ ହୋଇଥିଲା । ଏତିକିବେଳେ ଏକ କଳା ପଲସରରେ ୩ଜଣ କାର ପାଖକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାର ସମ୍ମୁଖରେ ବସିଥିବା ସଞ୍ଜୟଙ୍କୁ ବଜାଜ ସୋ ରୁମ କେଉଁଠାରେ ବୋଲି ପଚାରିବାବେଳେ ଅନ୍ୟ ଜଣେ ବିପରୀତ ଦିଗର କାର ପଛ ଦୁଆର ଖୋଲି ଟଙ୍କା ବ୍ୟାଗ ନେଇଥିଲେ । ବ୍ୟାଗ ନେଇ ପୂର୍ବରୁ ପ୍ରସ୍ତୁତ ଥିବା କଳା ପଲସରରେ ୩ଜଣ ଦୁର୍ବୁତ୍ତ ସମ୍ବଲପୁର ରାସ୍ତାରେ ଦ୍ରୁତ ଗତିରେ ପଳାଇ ଯାଇଥିଲେ । କାରରେ ଥିବା ବ୍ୟକ୍ତି ପାଟି କରି କିଛି ବାଟ ଦୌଡ଼ିଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଥିଲେ। ଏନେଇ କେନ୍ଦୁଝର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ସୂଚନା ମିଳିଛି।