ପାଇଖାନା ଟାଙ୍କିରେ ଅଣନିଃଶ୍ୱାସୀ ହୋଇ ୨ ଶ୍ରମିକ ମୃତ

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ପୌରପରିଷଦ ତଥା ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କ ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବାବେଳେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ମଣ୍ଡାସାହି ପଞ୍ଚାୟତ ୯ନଂ ୱାର୍ଡର ରାଧେଶ୍ୟାମ ବାରିକଙ୍କ ପୁଅ ପ୍ରକାଶ ବାରିକ(୪୦) ଓ ମରିଚାପଦା ଗ୍ରାମର ବାବାଜୀ ଭୋଇଙ୍କ ପୁଅ ଗନା ଓରଫ ରାଜୁ ଭୋଇ(୨୯) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଦୁଇ ମାସ ପୂର୍ବରୁ ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କର ଏକ ନୂଆ ପାଇଖାନା ଟାଙ୍କି ନିର୍ମିତ ହୋଇଥିଲା। ଏହାକୁ ନିକଟସ୍ଥ ମାଣପୁର ଅଞ୍ଚଳର ରାଜମିସ୍ତ୍ରୀ ଅଶୋକ ତାଙ୍କର ଦୁଇ ହେଲ୍ପର ମଣ୍ଡାସାହିର ପ୍ରକାଶ ଓ ମରିଚାପଦା ଗ୍ରାମର ରାଜୁ ଭୋଇଙ୍କ ସହାୟତାରେ ନିର୍ମାଣ କରିଥିଲେ। ୨ ମାସ ପରେ ପ୍ରକାଶ ଓ ରାଜୁ ରବିବାର ମଧ୍ୟାହ୍ନରେ ବଳରାମଙ୍କ ଘରକୁ ଟାଙ୍କିର ସେଣି୍ଟ୍ରଂ ଖୋଲିବା ପାଇଁ ଆସିଥିଲେ। ବଳରାମ ଘରେ ନଥିବାବେଳେ ରାଜମିସ୍ତ୍ରୀ ଆସିନଥିବାରୁ ସାନ ପୁଅ ସେଣି୍ଟ୍ରଂ ଖୋଲିବାକୁ ବାରଣ କରିଥିଲେ। କିନ୍ତୁ ଦୁଇ ହେଲପର କିଛି ଅସୁବିଧା ହେବନାହିଁ ବୋଲି କହି ମେନ୍ ଟାଙ୍କିର ଢାଙ୍କୁଣି ଖୋଲି ଟାଙ୍କି ମଧ୍ୟରେ ପଶିିଥିଲେ।

୨୦/୨୫ ମିନିଟ୍ ମଧ୍ୟରେ କୌଣସି ଶଦ୍ଦ ଟାଙ୍କିରୁ ଶୁଣିବାକୁ ନପାଇ ବଳରାମଙ୍କ ସାନପୁଅ ସେଠାକୁ ଯାଇ ଟାଙ୍କି ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣିରେ ଦୁଇ ହେଲ୍ପର ଭାସୁଥିବା ଦେଖି ଲୋକମାନଙ୍କୁ ଡାକ ପକାଇଥିଲେ। ବଳରାମଙ୍କ ବଡ଼ପୁଅ ଓ ନିକଟରେ କାମ କରୁଥିବା ୪/୫ଜଣ ଶ୍ରମିକ ଟାଙ୍କିରୁ ପ୍ରକାଶ ଓ ରାଜୁଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରି ସଦର ଥାନାରେ ଜଣାଇବା ସହିତ ଚିକିତ୍ସା ନିମନ୍ତେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ରାଜୁ ଓ ପ୍ରକାଶଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଖବର ପାଇ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମଣ୍ଡାସାହି ସରପଞ୍ଚ ଚିତ୍ତରଞ୍ଜନ ରାଉଳ ଓ ପୌରପରିଷଦର ବିଜେଡି ସଭାପତି ତଥା ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ ମେଡିକାଲରେ ପହଞ୍ଚିି ସେମାନଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ପାଇଁ ସରକାର ଓ ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯିବ ବୋଲି କହିଥିଲେ। ପରେ ପୁଲିସ ଦୁଇ ହେଲ୍ପରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁଇ ମୃତକ ପ୍ରକାଶ ଓ ରାଜୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।