ଆରତୀ ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ଜଳିଗଲେ ୨ ଶ୍ରମିକ

ଖୁଣ୍ଟୁଣୀ, ଆଠଗଡ଼,ଏନ୍ଏନ୍ଏସ୍: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟିଖାଲ ଗ୍ରାମପଞ୍ଚାୟତରେ ଗଢ଼ିଉଠିଥିବା ଆରତୀ ଷ୍ଟିଲ୍ ପ୍ଲାଣ୍ଟରେ ଏକ ଅଘଟଣ ଘଟିଛି। ଭାଟି ଦିଆଁ ଧାସରେ ୨ ଜଣ ଜଳି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଶ୍ରମିକମାନଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ ଆଠଗଡ଼ ବ୍ଲକ୍ର ମହାକାଳବସ୍ତ ଗ୍ରାମପଞ୍ଚାୟତର ମଞ୍ଜାଳୀପଦା ଗ୍ରାମର ସନାତନ ବେଉରାଙ୍କ ପୁଅ ଅସୀମ ବେଉରା ଓ ଚୌଦ୍ୱାର ଅଞ୍ଚଳର ମନୋଜ ବେହେରା ଆରତୀ ଷ୍ଟିଲ୍ କାରଖାନା ଫନେଲ୍ରେ ହାଉସ୍ କିପର ଭାବେ କାର୍ଯ୍ୟ କରୁଥିବା ସମୟରେ ଫନେଲ୍ରୁ ନିଆଁ ବାହାରି ଧାସରେ ୨ ଜଣଙ୍କର ପିଠି, ମୁହଁ, ପେଟ, ଗୋଡ଼ ମୁଣ୍ଡ ବାଳ ଆଦି ପୋଡ଼ିଯାଇଥିଲା।

କାରଖାନା କର୍ତ୍ତୃର୍ପକ୍ଷ ସେମାନଙ୍କୁ କମ୍ପାନୀ ପରିସର ମଧ୍ୟରେ ଥିବା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ କଟକସ୍ଥିତ ଅଶ୍ୱିନୀ ଡାକ୍ତରଖାନାକୁ ପଠାଯାଇଥିଲା। ଡାକ୍ତରଙ୍କ କହିବା ମୁତାବକ ତାଙ୍କର ଶରୀର ଅଧିକାଂଶ ଭାଗ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଅନ୍ୟଜଣଙ୍କର ସାମାନ୍ୟ ଆହତ ହୋଇଛନ୍ତି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।