ଦୁଇ ନାବାଳିକାଙ୍କ ବିବାହ ରୋକିଲା ଚାଇ‌ଲ୍ଡଲାଇନ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ଼ ସହରର ଜଣେ ପିତାମାତା ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅକୁ ବିବାହ କରିବାକୁ ଉଦ୍ୟମ କରୁଥିବାବେଳେ ଆଧାର ଚାଇଲ୍ଡ ଲାଇନ ପକ୍ଷରୁ ଏହାକୁ ରୋକାଯାଇଛି । ଟିଟିଲାଗଡ଼ ଚାଇ‌ଲ୍ଡଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କ ସୂଚନାକ୍ରମେ ସହରରେ ଦୀର୍ଘଦିନ ଧରି ବାସ କରୁଥିବା ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ଏକ ପରିବାର ତାଙ୍କ ନାବାଳିକା ଝିଅକୁ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ବିବାହ ପାଇଁ ତିଥି ନିର୍ଦ୍ଧାରଣ କରିଥିଲେ । ଏସମ୍ପର୍କରେ କୋଲକାତା ଚାଇଲ୍ଡ ଲାଇନକୁ ୧୦୯୮ରେ କେହି ଜଣେ ଅଭିଯୋଗ କଲା ପରେ ସେଠାରୁ ନିର୍ଦ୍ଦେଶ ପାଇ ଟିଟିଲାଗଡ଼ ଚାଇଲ୍ଡଲାଇନ ପକ୍ଷରୁ ବିବାହ ବନ୍ଦ ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ଏନେଇ ପରିବାର ଲୋକେ ମୁରିବାହାଲ ଥାନା ଅନ୍ତର୍ଗତ ଏକ ଗ୍ରାମକୁ ଯାଇ ସେଠାରେ ବିବାହ ଆୟୋଜନରେ ଲାଗି ପଡ଼ିଥିବା ବେଳେ ଶୁକ୍ରବାର ଦିନ ଚାଇଲ୍ଡଲାଇନ ସଦସ୍ୟ ଶ୍ରୀ ବେହେରା, ମୁରିବାହାଲ ସିଡିପିଓ ସରସୀ ପଣ୍ଡା ଓ ଟିଟିଲାଗଡ଼ ଆଇସିଡ଼ିଏସ ସୁପରଭାଇଜର ମଞ୍ଜୁଲତା ପାଢ଼ୀ ପ୍ରମୁଖ ପିତାମାତାଙ୍କୁ ଠାବ କରି ବିବାହ ବନ୍ଦ କରିବା ପାଇଁ କହିବା ସହ ଅନ୍ୟଥା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ପିତାମାତା ବିବାହ ବନ୍ଦ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶନିବାର ଦିନ ବର ପକ୍ଷରୁ କିଛି ବ୍ୟକ୍ତି ଆସି ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏହା ଖବର ପାଇ ଚାଇଲ୍ଡଲାଇନ ସଦସ୍ୟ ଶ୍ରୀ ବେହେରା ମୁରିବାହାଲ ପୁଲିସକୁ ଜଣାଇଥିଲେ । ମୁରିବହାଲ ପୁଲିସ ସହ ଶ୍ରୀ ବେହେରା ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ପରେ ଉଭୟ ପକ୍ଷ ବିବାହ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ଶନିବାର ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ଅନ୍ୟ ଏକ ପରିବାରର ୧୪ ବର୍ଷୀୟ ନାବାଳିକାକୁ ବିବାହ କରିବା ପାଇଁ ପୂର୍ବ ଦିନ ଅର୍ଥାତ୍ ଶୁକ୍ରବାର ଦିନ ପିନ୍ଧାନୀ କରିଥିବା ଖବର ପାଇ ଟିଟିଲାଗଡ଼ ଚାଇଲ୍ଡଲାଇନ ସଦସ୍ୟ ଶ୍ରୀ ଶିବାନନ୍ଦ ବେହେରା, ମୁରିବାହାଲ ଆଇସିଡିଏସ ସୁପରଭାଇଜର ନିଳାଦ୍ରୀ ଖମାରୀ, ମୁରିବାହାଲ ସିଡିପିଓ ସରସୀ ପଣ୍ଡା ଓ ମୁରିବାହାଲ ପୁଲିସ ଉକ୍ତ ପରିବାର ପାଖକୁ ପହଞ୍ଚି ତାଙ୍କୁ ବୁଝାସୁଝା କରି ନାବାଳିକାକୁ ବିବାହ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନେଇଥିଲେ।