ଯୁକ୍ତଦୁଇ ପ୍ରଥମ ବର୍ଷ ପିଲାଙ୍କ କଲେଜ ବଦଳି ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

୧୧ତାରିଖରୁ ଉପଲବ୍ଧ ହେବ ଆବେଦନ ଫର୍ମ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟରେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ଲାଗି ପ୍ରକିୟା ଆରମ୍ଭ ହୋଇଛି। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସବୁ କଲେଜର ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଏହି ପ୍ରକ୍ରିୟାରେ ସ୍ୱଚ୍ଚତା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏନେଇ ଆସନ୍ତା ୧୧ତାରିଖ ପୂର୍ବାହ୍ଣ ୧୧ଟାରୁ ବଦଳି ଲାଗି ସ୍ୱତନ୍ତ୍ର ଫର୍ମ ସ୍କୁଲ ଓ ଗଣଶିକ୍ଷା ବିଭାଗର ୱେବସାଇଟରେ ଉପଲବ୍ଧ ହେବ। ଟ୍ରାନ୍ସଫର ବା ବଦଳି ପାଇଁ ଇଛୁକ ଆବେଦନକାରୀମାନେ ଅକ୍ଟୋବର ୧୯ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି।

୧୬ ରୁ ୨୨ ଅକ୍ଟୋବର ଅପରାହ୍ଣ ୨ଟା ମଧ୍ୟରେ କଲେଜ ଛାଡୁଥିବା ଛାତ୍ରଛାତ୍ରୀଙ୍କର ଆବେଦନ ଫର୍ମ ଯାଞ୍ଚ କରାଯିବ। ୧୭ରୁ ୨୬ତାରିଖ ମଧ୍ୟରେ ସାମ୍ସ ନୋଡାଲ କେନ୍ଦ୍ରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଆବେଦନଫର୍ମର ସମୀକ୍ଷା କରାଯିବା ସହ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯିବ। ସେହିପରି ଶେଷରେ ନଭେମ୍ବର ୧ରୁ ୪ତାରିଖ ମଧ୍ୟରେ ବଦଳି ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଯେଉଁ କଲେଜକୁ ବଦଳି ଲାଗି ଆବେଦନ କରିଥିବେ ସମ୍ପୃକ୍ତ କଲେଜରେ ନାମଲେଖାଇବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। କଲେଜ ଟ୍ରାନ୍ସଫର ଲାଗି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟ ଡକ୍ୟୁମେଣ୍ଟ ମଧ୍ୟରେ ରହିଛି ଯଦି ଅଭିଭାବକଙ୍କ ଅନ୍ୟତ୍ର ବଦଳି ହୋଇଥାଏ ତେବେ ବଦଳି ନିର୍ଦ୍ଦେଶ, ଅଭିଭାବକଙ୍କ ଚାକିରୀରୁ ଅବସର ହୋଇଥିଲେ ଅବସର ପ୍ରମାଣ ପତ୍ର, ଅଭିଭାବକଙ୍କ ମୃତ୍ୟୁ ଘଟିଥିଲେ ମୃତ୍ୟୁ ସାର୍ଟିଫିକେଟ୍, ଛାତ୍ରୀଙ୍କର ଜଦି ବିବାହ ହୋଇଥାଏ ତେବେ ମ୍ୟାରେଜ୍ ସାର୍ଟିଫିକେଟ୍ ଏବଂ ଦେହ ଅସୁସ୍ଥ ରହିଥିଲେ ମେଡିକାଲ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡିବ। ତେବେ ମେଡିକାଲ ସାର୍ଟିଫିକେଟ ସିଡିଏମଓ ରାଙ୍କର ଅଧିକାରୀଙ୍କଦ୍ୱାରା ଦସ୍ତଖତ ହୋଇଥିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।