ଦୁଇ ଆଇପିଏସଙ୍କୁ କେନ୍ଦ୍ରରେ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କ୍ୟାଡରର ଦୁଇ ଆଇପିଏସଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ବରିଷ୍ଠ ଆଇପିଏସ୍ ତଥା ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅମ୍ରିତ ମୋହନ ପ୍ରସାଦଙ୍କୁ ଆଇଟିବିପି ବାଇଣ୍ଡୋ ତୃତୀୟ ବାଟାଲିୟନ ପୁଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦବୀରେ ୨୦୨୨ ମେ’ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏଥିସହିତ ସେ ମୋଟ ୭ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଡେପେୁଟେସନରେ ରହିବେ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟ ଭିଜିଲାନ୍ସର ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ ପିଏସ୍ ରଣପିସେଙ୍କୁ ସିଆରପିଏଫ ଆଇଜି ଭାବେ ନିଯୁକ୍ତି ମିଳିଛି। ସେ କେନ୍ଦ୍ର ଅଧୀନରେ ୫ବର୍ଷ ଡେପୁଟେସନରେ କାର୍ଯ୍ୟ କରିବେ। ଶ୍ରୀ ରଣପିସେଙ୍କୁ ତୁରନ୍ତ ରିଲିଭ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିଠି ଲେଖି ଅବଗତ କରିଛି। ଶ୍ରୀ ରଣପିସେ ପୂର୍ବରୁ ଅତିରିକ୍ତ ପୁଲିସ କମିସନର ଭାବେ କାର୍ଯ୍ୟ କରୁଥିବାବେଳେ ଚଳିତ ବର୍ଷ ଜାନୁଆରୀ ମାସରୁ ସେ ଭିଜିଲାନ୍ସ ଏଡିଜି ଭାବେ ଅବସ୍ଥାପିତ ଥିଲେ।