ଲୁଣାନଦୀରେ ଭାସିଗଲେ ୪ ସାଙ୍ଗ;୨ ମୃତ

ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍ : ଆଜି ଅପରାହ୍ଣରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ଲୁଣାନଦୀର ମଙ୍ଗଳାଗଣ୍ଡରେ ସ୍ନାନ କରୁଥିଲା ବେଳେ ୨ ସାଙ୍ଗ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୨ ସାଙ୍ଗ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକମାନେ ହେଲେ ଗୋପାଳପୁର ଗ୍ରାମ ପଞ୍ଚାୟତ ଦୁଲାରପୁର ଗ୍ରାମର ଶୁକଦେବ ସାମଲଙ୍କ ପୁଅ ଲିଟୁ ସାମଲ (୨୧), ନବକିଶୋର ପାଲଙ୍କ ପୁଅ ଜିତେନ୍ଦ୍ର ପାଲ (୨୨)।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଲିଟୁ ଜିତେନ୍ଦ୍ରଙ୍କ ସମେତ ବିଦ୍ୟାଧର ନାୟକଙ୍କ ପୁତ୍ର ହୃଷିକେଶ ନାୟକ, ବନବିହାରୀ ବିଶ୍ୱାଳଙ୍କ ଚନ୍ଦ୍ରକାନ୍ତ ବିଶ୍ୱାଳ ସ୍ନାନ କରିବା ନିମନ୍ତେ ବାଇକ ଯୋଗେ ଅସୁରେଶ୍ୱର ନିକଟବର୍ତ୍ତୀ ତରତଶାସନ ଗ୍ରାମ ପଞ୍ଚାୟତ ହନୁମାନଗଡ଼ା ଲୁଣାନଦୀର ମଙ୍ଗଳାଗଣ୍ଡକୁ ଆସିଥିଲେ। ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ୪ଜଣ ଯାକ ଭାସି ଯାଇଥିଲେ। ଖବରପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଃସାହସର ସହ ୪ଜଣ ସାଙ୍ଗକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ଲିଟୁ ଓ ଜିତେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ହୃଷିକେଶ ଓ ଚନ୍ଦ୍ରକାନ୍ତଙ୍କୁ ଚିକିତ୍ସା କରିବା ପରେ ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ଏହି ଘଟଣାଟି ପ୍ରଚାରିତ ହେବାକ୍ଷଣି ମଙ୍ଗଳାଗଣ୍ଡ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଶ୍ଚିନ୍ତକୋଇଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଇଛି।