ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ-୨ ଥିଓରୀ ପରୀକ୍ଷା ଆରମ୍ଭ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ରାଜ୍ୟ By Nitidin On Dec 18, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ ଏବଂ ଏହାର ଦେଢ଼ମାସ ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିଧିବଦ୍ଧ ତାରିଖ ଘୋଷଣା ହୋଇନଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ ଶେଷ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରତିଥର ପରି ଏଥର ବି ଗୋଟିଏ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ହେବ ବୋଲି ଜଣାଯାଇଛି। ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ୧୫ ପରେ ଆରମ୍ଭ କରିବାକୁ ଯୋଜନା ହୋଇଛି। ତେବେ ଆସନ୍ତା ୩ଦିନ ମଧ୍ୟରେ ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକ ଡକାଯାଇ ଚୂଡ଼ାନ୍ତ ତାରିଖରେ ମୋହର ଲଗାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପରୀକ୍ଷା କେନ୍ଦ୍ର ଚୟନରେ ସ୍ବଚ୍ଛତା ଆଣିବା ସହ କପି ରୋକିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ଏ ନେଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ପରୀକ୍ଷା କେନ୍ଦ୍ର କରିବାକୁ ଚାହୁଁଥିବା କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରାଯାଇଛି। ସେଲ୍ଫ ଫାଇନାନ୍ସିଂ କଲେଜକୁ ଛାଡ଼ି ଗତ ୯ ତାରିଖ ସୁଦ୍ଧା ପାଖାପାଖି ୩୦୦ କଲେଜ ନିଜ କ୍ୟାମ୍ପସରେ ଥିଓରି ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଛନ୍ତି। Share