ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ଆରମ୍ଭ ହୋଇଛି +୨ ପରୀକ୍ଷା। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଚଳିତ ବର୍ଷ ୨୦୪୧ଟି ଜୁନିୟର କଲେଜର ୩ ଲକ୍ଷ ୫୦ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିରେ କଳାରେ ୨,୨୦୪୩୭ ଜଣ, ବିଜ୍ଞାନରେ ୯୭,୫୪୬ ଜଣ, ବାଣିଜ୍ୟରେ ୨୫,୭୮୫ ଓ ଧନ୍ଦାମୂଳକ ଶିକ୍ଷାରେ ୭,୦୩୨ ପରୀକ୍ଷାର୍ଥୀ ଅଛନ୍ତି। ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ କେନ୍ଦ୍ର ହୋଇଥିବା ବେଳେ ୧୧୪୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି। ପରୀକ୍ଷା ସକାଳ୧୦ଟାରୁ ଆରମ୍ଭ ହେବାକୁ ଥିବାରୁ ସକାଳ ୯ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ପହଞ୍ôଚବେ। ୧୦ଟାରେ ପ୍ରଶ୍ନପତ୍ର ଦିଆଯିବ। ଥିଓରୀ ପରୀକ୍ଷାରେ ୧୦୦ ମାର୍କ ବିଷୟ ଲାଗି ୩ ଘଣ୍ଟା ସମୟ ଦିଆଯାଇଥିବା ବେଳେ ୭୦ ଓ ୬୦ ମାର୍କ ବିଷୟ ଲାଗି ମଧ୍ୟ ସେହି ୩ ଘଣ୍ଟା ଧାର୍ଯ୍ୟ ହୋଇଛି। ସେହିପରି ୫୦ ମାର୍କ ଲାଗି ଅଢ଼େଇ ଘଣ୍ଟା ଓ ୪୦ମାର୍କ ବିଷୟ ଲାଗି ୨ଘଣ୍ଟା ପରୀକ୍ଷା ହେବ। ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୪ରୁ ଖାତା ଦେଖା ଆରମ୍ଭ ହେବ।
ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ କଡ଼ାକଡ଼ି କରାଯାଇଛି। ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଏବଂ ସ୍ମାର୍ଟ ଘଣ୍ଟା ମନା। ପରୀକ୍ଷାର୍ଥୀମାନେ ସାଧାରଣ ଘଣ୍ଟା ପରୀକ୍ଷାକେନ୍ଦ୍ରକୁ ନେଇ ପାରିବେ। ଚଳିତବର୍ଷ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ଥିବା ବେଳେ ପରୀକ୍ଷାକେନ୍ଦ୍ରରେ ସ୍କ୍ୱାର୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ତେବେ ଯେଉଁ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ହୋଇପାରି ନାହିଁ ସମ୍ପୃକ୍ତ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଏହି କେନ୍ଦ୍ରଗୁଡିକରେ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସ୍କ୍ୱାଡ ଅଧିକାରୀ ଜଗି ରହିବେ।
ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀଙ୍କ ପାଖରେ ମୋବାଇଲ ଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପିଲାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା ହେବ। ପିଇବା ପାଣିର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କେବଳ ଥରେ ୨ମିନିଟ୍ ଲାଗି ୟୁରିନାଲକୁ ଛଡ଼ାଯିବ। ୟୁରିନାଲକୁ ଯିବା ପୂର୍ବରୁ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଏବଂ ଖାତା ଇନ୍ଭିଜିଲେଟରଙ୍କ ପାଖରେ ଦାଖଲ କରିବାକୂୁ ପଡ଼ିବ। ୨ମିନିଟରୁ ଯଦି କୌଣସି ପିଲା ଅଧିକ ସମୟ ରହେ ତେବେ ତୁରନ୍ତ ଯାଞ୍ଚ କରାଯିବ।
ସେହିପରି ଖାତାଦେଖା ଲାଗି ୫୮ଟି ମାନୁଆଲ ଏବଂ ୩୩ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର କରାଯିବ। ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅନୁଯାୟୀ ୨୪ ଲକ୍ଷ ୬୫ ହଜାର ଉତ୍ତରଖାତା ମୂଲ୍ୟାଙ୍କନ କରାଯିବ। ତେଣୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ଉତ୍ତରଖାତା ଦେଖିବା ଲାଗି ୧୭ହଜାର ୩୫୦ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିୟୋଜିତ କରାଯିବ। ମେ ୨ୟ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।