ଦୁଇ ଦିନରେ ୨ ଜଣଙ୍କ ଆତ୍ମହତ୍ୟା, ମଦ ହିଁ ମୃତ୍ୟୁର କାରଣ ଅଭିଯୋଗ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରରେ ଗତ ଦୁଇଦିନ ଭିତରେ ଦୁଇଜଣ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ଆତ୍ମହତ୍ୟା ପଛରେ ମଦ ହିଁ ପ୍ରମୁଖ କାରଣ ବୋଲି ଅଭିଯୋଗ କରାଯାଇଛି। ବଲାଙ୍ଗିର ଟାଉନ ଥାନାର ପିସିଆର ଡ୍ରାଇଭର ଭାବେ ଅବସ୍ଥାପିତ ଥିବା ହୋମଗାର୍ଡ କର୍ମଚାରୀ ଶମ୍ଭୁ ବଢିଆ ଘରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ସକାଳେ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ସୀତାରାମ ନଗର ନିକଟ ରାସ୍ତା କଡରେ ଥିବା ଏକ ନିମ୍ବ ଗଛରୁ ପୌର ପରିଷଦର ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଋଷି ସାହୁଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ଏହି ଦୁଇଜଣଙ୍କ ମୃତ୍ୟୁ ପଛରେ ମଦ ହିଁ ପ୍ରମୁଖ କାରଣ ବୋଲି ଗୁରୁତର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପୁଲିସ ଡ୍ରାଇଭର ଶମ୍ଭୁ ନିଜର ଡ୍ୟୁଟି ସାରିବା ପରେ କୌଣସି ଏକ କୁଚିଆ ମଦ ଦୋକାନରୁ ପ୍ରଚୁର ପରିମାଣରେ ମଦ୍ୟପାନ କରି ଘରକୁ ତାଙ୍କ ମୋଟର ସାଇକଲରେ ଫେରୁଥିଲେ। ମଦ୍ୟପାନ ଯୋଗୁଁ ଭାରସାମ୍ୟ ହରାଇ ତାଙ୍କ ମୋଟର ସାଇକଲ ଏକ ଡ୍ରେନ ଭିତରକୁ ପଶି ଯାଇଥିଲା। କୌଣସି ପ୍ରକାରେ ସେ ସେଠାରୁ କାଦୁଅ ସରସର ହୋଇ ଘରକୁ ଫେରିଥିଲେ। ଏଭଳି ଅବସ୍ଥାରେ ପରିବାର ଲୋକ ତାଙ୍କୁ ଦେଖିବା ପରେ ଘରେ ପାଟିତୁଣ୍ଡ ହୋଇଥିଲା ଓ ଶମ୍ଭୁ ଗୋଟାଏ କୋଠରୀରେ ନିଜକୁ ବନ୍ଦ କରି ରଖିଥିଲେ। ସେହି କୋଠରୀ ଭିତରେ ହିଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପରେ ଟାଉନଥାନା ଅଧିକାରୀ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ। କିନ୍ତୁ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ଆଜି ଆତ୍ମହତ୍ୟା କରିଥିବା ଋଷିଙ୍କର ଘର ହେଉଛି ଇଚ୍ଛାପଡ଼ା। ସେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଘରୁ ବାହାରିଥିବା ପରେ ଘରକୁ ଫେରିନଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ସୀତାରାମ ନଗର ନିକଟ ରାସ୍ତା କଡରେ ଥିବା ଏକ ନିମ୍ବ ଗଛରୁ ତାଙ୍କ ଶବ ଉଦ୍ଧାର କରାଯାଇଛି। ସେ ମଧ୍ୟ ନିୟମିତ ଭାବେ ମଦପିଇ ଘରକୁ ଯାଉଥିଲେ। ସୂଚନା ଅନୁଯାୟୀ ଗତକାଲି ସେ ମଦ ପିଇ ଘରକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ପରିବାରରେ ଗଣ୍ଡଗୋଳ ହୋଇଥିଲା।

ତେବେ ଲକଡାଉନ ଚାଲିଥିବା ବେଳେ ସମଗ୍ର ଜିଲ୍ଲାରେ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ କିଭଳି ଭାବେ ବିକ୍ରି ହେଉଛି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବେଆଇନ ମଦ ବିକ୍ରି ଯୋଗୁଁ ବଲାଙ୍ଗିରରେ ମଦ ମୃତ୍ୟୁର ଆଶଙ୍କା ରହିଛି ବୋଲି ମଧ୍ୟ ପୂର୍ବରୁ ପ୍ରଶାସନକୁ ସତର୍କ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇ ପାରିନାହିଁ।