ଚିକିତ୍ସାରେ ଅବହେଳା ଯୋଗୁଁ ୨ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଚିକିତ୍ସା ଅବହେଳାରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ସହରର ଉପକଣ୍ଠ ନରଣପୁରର ଖିରୋଦିନୀ ପାତ୍ର ରକ୍ତଚାପର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଆଜି ଭୋରରୁ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଅକ୍ସିଜେନ୍ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି ସମୟରେ ମହିଳା ବିଭାଗରେ ଥିବା ତିନିଟି ସିଲିଣ୍ଡରରୁ ଗୋଟିଏ ଜଣେ ରୋଗୀଙ୍କୁ ଲାଗିଥିବା ବେଳେ ଅନ୍ୟ ୨ଟି ଥିଲା । କିନ୍ତୁ କେହି ନର୍ସ ନଥିବାରୁ ତାଙ୍କୁ ଅମ୍ଳଜାନ ଦିଆଯାଇ ପାରି ନଥିଲା । ଏପରିକି ପରିବାର ଲୋକେ ବାରମ୍ବାର ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ ।

ଅନ୍ୟପଟେ କରଞ୍ଜିଆ ନୁଆଁଗାର ଜାନକୀ ପାତ୍ର ସାପ କାମୁଡ଼ାରେ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ତାଙ୍କୁ ଇଞ୍ଜେକ୍ସନ ଦେବାପରେ ନାଡ଼ ଚାଲିବା ବନ୍ଦ ହୋଇଗଲା ବୋଲିଅଭିଯୋଗ ହୋଇଛି । ଅନ୍ୟପଟେ ଦାୟିତ୍ୱରେ ଥିବା ନର୍ସ ପରିବାର ଲୋକଙ୍କଠାରୁ ଡିସ୍‌ଚାର୍ଜ ପେପରରେ ଦସ୍ତଖତ କରାଇ ନେଇଥିବା କୁହାଯାଇଛି । ତେବେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ  ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।