ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଦିନରେ ୨ ମୃତ ,  ମେଡିସିନ ୱାର୍ଡରୁ ୧୫ କରୋନା ସଂକ୍ରମିତ ଚିହ୍ନଟ

ଦେବଗଡ, ଏନଏନଏସ : ସଂପ୍ରତି ଦେବଗଡ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ଚାଲିଥିବା ବେଳେ ଆଜି ଗୋଟିଏ ଦିନରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।ଅନ୍ୟ ପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରୁ ୧୫ ସଂକ୍ରମିତ ଚିହ୍ନଟ ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ୫ଶହରୁ ଉର୍ଦ୍ଧ୍ୱ ଜନସାଧାରଣ ଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ଶତାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଙ୍କ ସଠିକ ତଥ୍ୟ ପ୍ରକାଶ କରୁ ନଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗର ଏଭଳି ନୀତି କୁ ନେଇ ସନ୍ଦିହାନ ହୋଇପଡିଛି । ଗତକାଲି ରାତ୍ରୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡ ରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଡାକ୍ତର ଖାନାର ୨ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡ ରୁ ଗୋଟିଏ ଦିନରେ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଥମ ହୋଇଥିବା ବେଳେ ଉକ୍ତ ୱାର୍ଡ ରେ ଥିବା ଅନ୍ୟ ରୋଗୀ ମାନେ ଏହି ଘଟଣା ପରେ ଆତଙ୍କିତ ହୋଇପଡିଥିଲେ ।ତେବେ ଡାକ୍ତରଖାନା  କର୍ତ୍ତୃପକ୍ଷ ଚିହ୍ନଟ ସଂକ୍ରମିତ ମାନଙ୍କ ମଧ୍ୟରୁ ଗୁରୁତର ଙ୍କୁ କୋଭିଡ କେୟାର ଏବଂ ସାମାନ୍ୟ ସଂକ୍ରମିତ ମାନଙ୍କୁ ଗୃହ ସଂଘରୋଧରେ ପଠାଇଥିବା ଜଣା ପଡିଛି । ଆଜି ପ୍ରତ୍ୟୁଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଗାଡି ଚାଳକ ଙ୍କ ମୃତ୍ୟୁ ଘଟିଥିବା ବେଳେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମରେ ଗୃହ ସଂଘରୋଧରେ ଥିବା ଅନ୍ୟ ଜଣେ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତକାଲି ରାତ୍ରୀରେ ମେଡିସିନ ୱାର୍ଡ ରୁ ୧୫ କରୋନା ସଂକ୍ରମିତ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ୱାର୍ଡ କୁ ସାନିଟାଇଜ କରାଯାଇଥିବା ବେଳେ ଆଜି ସକାଳେ ମଧ୍ୟ ଡାକ୍ତରଖାନା ପରିସର କୁ ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଂକ୍ରମିତ ଚିହ୍ନଟ ପରେ ମଧ୍ୟ ଆହୁରି ଅନେକ ଚିହ୍ନଟ ହେବାର ଆଶଙ୍କା ରହିଥିବା ଜଣାପଡିଛି।