କେରଳରେ ୨୪ ଓ ୨୫ ତାରିଖ ସମ୍ପୂର୍ଣ୍ଣ ଲକଡାଉନ

  • ଥିରୁଭନନ୍ତପୁରମ: ବକ୍ରି ଇଦ ପାଇଁ ରାଜ୍ୟରେ ତିନିଦିନିଆ କୋଭିଡ୍ କଟକଣା କୋହଳ କରିଥିଲେ କେରଳ ସରକାର। ଯାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲା ଭାରତୀୟ ମେଡିକାଲ ଆସୋସିଏସନ୍। କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ଏବେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟରେ ୨ ଦିନ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଜୁଲାଇ ୨୪ ଓ ୨୫ ତାରିଖ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ରହିବ। ଏଥିସହିତ ଶୁକ୍ରବାର ରାଜ୍ୟରେ ମାସ୍ କୋଭିଡ୍ ଟେଷ୍ଟିଂ କରିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
    ୩ ଲକ୍ଷ ଟେଷ୍ଟିଂ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ଜିଲ୍ଲାମାନଙ୍କର ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେହି ଜିଲ୍ଲାଗୁଡ଼ିକୁ ବିଶେଷ ଧ୍ୟାନ ଦିଆଯିବ। ସମସ୍ତ ଜିଲ୍ଲାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବା ପରେ ସତର୍କ ହୋଇଛନ୍ତି କେରଳ ସରକାର। ରାଜ୍ୟରେ ଟେଷ୍ଟିଂ ସହିତ କରୋନା ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
    ଏହା ପୂର୍ବରୁ ରାଜ୍ୟରେ ବକ୍ରି ଇଦ ପାଇଁ ୩ ଦିନିଆ କୋହଳ ଘୋଷଣା କରିଥିଲେ କେରଳ ସରକାର। ଏନେଇ ଆଇଏମ୍ଏ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତା ଉପରେ ଜବାବ ମାଗିଛନ୍ତି କୋର୍ଟ।