୨୦ ଓ ୨୧ରେ ବଲାଙ୍ଗୀର ବନ୍ଦ

ବଲାଙ୍ଗିର,ଏନଏନଏସ: ଜିଲ୍ଲା ସ୍ୱାର୍ଥ ସମ୍ବଳିତ ୩ ଦଫା ଦାବି ନେଇ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନ ଧରି ବଲାଙ୍ଗୀର ବନ୍ଦ ରହିବ ବୋଲି ସ୍ଥାନୀୟ ସିଭିଲ କୋର୍ଟ ସ୍ଥିତ ବାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଓକିଲ ସଂଘର ସଭାପତି ପ୍ରମୋଦ କୁମାର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଓ ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଓକିଲ ସଂଘର ସଦସ୍ୟ ଓ ସାମାଜିକ ସଙ୍ଗଠନମାନଙ୍କର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନା , ଦୀର୍ଘ ୧୫ ମାସ ହେଲା ବନ୍ଦ ହୋଇ ପଡି ରହିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଓ ପ୍ରସ୍ତାବିତ ବାଏପାସ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଦାବିରେ ଏହି ବନ୍ଦ ଡାକରାର ଆବଶ୍ୟକତା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନା ଦାବିରେ ଦୀର୍ଘ ଦେଢବର୍ଷ ହେଲା ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆସୁଛନ୍ତି। କିନ୍ତୁ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ଏହି ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନର ଆବଶ୍ୟକତା ରହିଛି ।

ତେବେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ନିର୍ଦ୍ଧେଶ ଅନୁଯାୟୀ ଆଉ ଓକିଲମାନେ ଆନ୍ଦୋଳନ କରିପାରିବେ ନାହିଁ । ତେଣୁ ଏହି ଆନ୍ଦୋଳନକୁ ବଲାଙ୍ଗୀର ଆକ୍ସନ କମିଟି ଆଗେଇ ନେବ ବୋଲି ଆକ୍ସନ କମିଟିର ଆବାହକ ଶ୍ରୀ ପାଣିଗ୍ରାହୀ କହିଥିଲେ । ବଲାଙ୍ଗୀରର ସମସ୍ତ ସଙ୍ଗଠନ ଏକ ହୋଇ ଏହି ଆକ୍ସନ କମିଟି ଜରିଆରେ ଆନ୍ଦୋଳନ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ନିର୍ଦ୍ଧାରିତ ପ୍ରକ୍ରିୟାରେ ସୁପାରିଶ କଲେ କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ନିର୍ଦ୍ଧାରିତ ପ୍ରକ୍ରିୟାରେ ସୁପାରିଶ କରୁନାହାନ୍ତି।

୬ରୁ ୭ ଥର ରାଜ୍ୟ ସରକାର ସୁପାରିଶ କରିଥିଲେ ମଧ୍ୟ ତାହା ନିର୍ଦ୍ଧାରିତ ପ୍ରକ୍ରିୟାରେ କରାଯାଇନାହିଁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇନପାରିବା ପଛରେ ସମ୍ପୁର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ ବୋଲି ଆଇନଜୀବୀ ଶ୍ରୀ ମିଶ୍ର କହିଥିଲେ। ବଲାଙ୍ଗୀରର ଅନ୍ୟତମ ଜୀବନରେଖା ଭାବେ ପରିଗଣିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ୭୦ ପ୍ରତିଶତ ନିର୍ମାଣ କାମ ସରିଥିଲେ ମଧ୍ୟ ଗତ ୧୫ ମାସ ହେଲା କାମ ବନ୍ଦ ରହିଛି। ଇତି ମଧ୍ୟରେ ରାଜ୍ୟ ସରକାର ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

ତେବେ ରାଜ୍ୟ ସରକାର କେବଳ କଥାରେ ଦାୟିତ୍ୱ ନ୍ୟସ୍ତ କରି ଚୁପ ରହିଲେ ଚଳିବ ନାହିଁ । ଶ୍ରୀଯୁକ୍ତ ମିଶ୍ରଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବଲାଙ୍ଗୀରରେ ବାଏପାସ ରାସ୍ତା ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ତେବେ ବର୍ତ୍ତମାନ ବଲ କେନ୍ଦ୍ର ସରକାରଙ୍କ କୋର୍ଟରେ ରହିଛି । ତେଣୁ କେନ୍ଦ୍ର ସରକାର ବାଏପାସ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ବୈଠକରେ ଦାବି ହୋଇଥିଲା ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଦୁଇଦିନ ଧରି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଯାନବାହାନ ଚଳାଚଳ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ଉଭୟ ଦିନ ଦାବିଗୁଡିକୁ ନେଇ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର, ଅବସରପ୍ରାପ୍ତ ସୈନିକ ସଂଘର ପ୍ରତାପ ରଥ, ଯୁବ କଂଗ୍ରେସ ନେତା ପ୍ରେମ ପ୍ରକାଶ ମିଶ୍ର, ବିଜେପି ନେତା ପିତାମ୍ବର ଖମାରୀ, ଟ୍ରେଡ ୟୁନିଅନ ନେତା ସୁରୁଲାଲ ମଟାରୀ, ବାଳକୃଷ୍ଣ ସାହୁ, ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ ସଂଘର ପୁଲିନ ମିଶ୍ର, ଜମାଲ ଖାନ, ତୈଳିକ ବୈଶ୍ୟ ସମାଜର ସଭାପତି ମନୋରଞ୍ଜନ ସାହୁ, ବଜରଙ୍ଗ ଦଳର ଅନ୍ତର୍ଯ୍ୟାମୀ କରନ, ସତ୍ୟସୁନ୍ଦର ଭଞ୍ଜ, କଂଗ୍ରେସ ନେତା ସନ୍ତକ ବହିଦାର, ଯୁବ ସଙ୍ଗଠକ ଜ୍ୟୋତି ପାଣିଗ୍ରାହୀ, କୁନା ବାଗ ଓ ନଗର କଂଗ୍ରେସ ସଭାପତି ବୁଲୁ ଦାନି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଇଥିବାବେଳେ ମନୀଷ ମିଶ୍ର, ନିଶିକାନ୍ତ କୁମ୍ଭାର, ଗୋପବନ୍ଧୁ ପୁରୋହିତ, ପ୍ରଫୁଲ୍ଲ ମିଶ୍ର, ଗିରିଶ ସିଂଦେଓ ଓ ଅନନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ଅମନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।