ଟିକା ନେଇଥିବା ଦୁଇଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ, ଏଜେନ୍ସି : କୋଭିଡ୍ ଟିକା ନେଇଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମୋରାଦାବାଦରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ପ୍ରାଣ ହରାଇଥିବା ଜଣେ ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁର କାରଣ କୋଭିଡ୍ ଟିକା ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ ଟିକା ନେଇଥିବା ବ୍ୟକ୍ତିଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର ସଠିକ ରିପୋର୍ଟ ହଠାତ୍ ମିଳିନାହିଁ।
ପ୍ରକାଶ ଯେ, ଗତ ଶନିବାର ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପ୍ରଥମ ଦିନରେ ଉତ୍ତର ପ୍ରଦେଶର ମୋରାଦାବାଦରେ ଟିକା ନେଇଥିବା ସରକାରୀ ଡାକ୍ତରଖାନାର ଜଣେ ୪୬ ବର୍ଷିୟ କର୍ମଚାରୀ (ୱାର୍ଡବୟ) ଙ୍କର ରବିବାର ମୃତ୍ୟୁ ଘଟିଛି। କିନ୍ତୁ ଟିକା ସହ ଉକ୍ତ କର୍ମଚାରୀଙ୍କ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଏହି ସ୍ୱାସ୍ଥ୍ୟକର୍ମୀଙ୍କର ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ସେ ପ୍ରାଣ ହରାଇଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ ଟିକା ନେବା ପରେ ସେ ଅସୁସ୍ଥ ଅନୁଭବ କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୋରାଦାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମସି ଗର୍ଗ କହିଛନ୍ତି, ଶନିବାର ମଧ୍ୟାହ୍ନ ସମୟରେ ତାଙ୍କୁ ଟିକା ଦିଆଯାଇଥିଲା। ତାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରୁଛୁ। ତାଙ୍କ ଶବ ବ୍ୟବଛେଦ କରାଯିବ। ଏହା ଟିକାର ପ୍ରତିକ୍ରିୟାଜନିତ ମୃତ୍ୟୁ ପରି ମନେ ହେଉନାହିଁ। ଶନିବାର ରାତିରେ ମଧ୍ୟ ସେ ଡିୟୁଟି କରିଥିଲେ। ଅର୍ଥାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କୌଣସି ଅସୁବିଧା ହୋଇନଥିଲା। ଉତ୍ତର ପ୍ରଦେଶ ସରକାରଙ୍କ କହିବା ଅନୁସାରେ, ହୃତପିଣ୍ଡ ଏବଂ ଫୁସଫୁସଜନିତ ରୋଗ ଯୋଗୁଁ ହୃତପିଣ୍ଡକୁ ରକ୍ତ ପ୍ରବାହରେ ବାଧା ଉପୁଜିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡିଛି।