କଲେଜ ବାହାରେ ଛାତ୍ରୀଙ୍କୁ ଗୁଳି କରି ହତ୍ୟା; ୨ ଅପରାଧୀ ଗିରଫ

ଫରିଦାବାଦ,ଏଜେନ୍ସି: ହରିଆଣାରେ ସୋମବାର ଦିନ ଦିପହରରେ ଏକ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ୨୧ ବର୍ଷୀୟ ଛାତ୍ରୀ ଜଣଙ୍କ ନିଜ କଲେଜକୁ ତା ସାଙ୍ଗ ସହିତ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏକ କାରରେ କେତେକ ଦୁର୍ବୃତ୍ତ ଆସି ଅପହରଣ କରିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଗୁଳି କରି ହତ୍ୟା କରିଛି। ତେବେ ଦିଲ୍ଲୀରୁ ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଏହି ନିର୍ମମ ଘଟଣାର ଏକ ସିଟି ଟିଭି ଫୁଟେଜ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଛି।

ସୋମବାର ଅପରାହ୍ଣ ୩ଟା ୪୦ରେ ଫରିଦାବାଦର ବଲବଗଡ଼ କଲେଜ ବାହାରେ ଏହି ଅଘଟଣ ଘଟିଛି। ନିକିତା ତୋମାର ନାମକ ଜଣେ ଛାତ୍ରୀ ଉକ୍ତ କଲେଜର ଶେଷ ବର୍ଷର ଛାତ୍ରୀ ଏବଂ ସେ କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ।

ସେହି ସମୟରେ ଅଭିଯୁକ୍ତ ତୋସିଫ ଓ ସାଙ୍ଗ ରେହାନ ସହିତ କଲେଜ ବାହାରେ ଏକ କାରରେ ଅପେକ୍ଷା କରି ରହିଥିଲେ। ପୂର୍ବରୁ ତୋସିଫ ଓ ନିକିତା ପରସ୍ପରକୁ ଜାଣିଥିଲେ। ୨୦୧୮ ମସିହାରେ ମଧ୍ୟ ତୋସିଫ ନିକିତାକୁ ଅପହରଣ କରିବାକୁ ଚେଷ୍ଟା କରିଥିବା ଫରିଦାବାଦ ପୁଲିସ ଅଧିକାରୀ ଓପିସିଂ ସୂଚନା ଦେଇଛନ୍ତି।

ସିସି ଟିଭ ଫୁଟେଜ ଅନୁସାରେ ଅଭିଯୁକ୍ତ ତୋସିଫ ନିକିତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନିକିତା ତାଙ୍କ ହାତରୁ ଖସି ଯାଇଥିଲେ। ପରେ ଅଭିଯୁକ୍ତ ଜଣଙ୍କ ତା ପିଛା କରି ଗୁଳି କରି ହତ୍ୟା କରିଥିଲା। ପରେ ରୋହନ ତୋସିଫକୁ କାରକୁ ଟାଣି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ରାସ୍ତାରେ ନିକିତା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ତା ନିକଟରେ ଥିବା ସାଙ୍ଗ ଏହା ଦେଖି ସ୍ତବ୍ଧ ହୋଇଯାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ତେବେ ପୁଲିସ ତୋସିଫ ଓ ରୋହାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବାପାଙ୍କ କହିବା ଅନୁସାରେ, ୨୦୧୮ରେ ସେ ଥାନାରେ ଅଭିଯୋଗ କରିଥିଲେ କି ତୋସିଫ ତାଙ୍କ ଝିଅଙ୍କୁ ହଇରାଣ କରୁଥିଲା, କିନ୍ତୁ ତାଙ୍କ ଝିଅଙ୍କ ନାମ ଅସିବା ଭୟରେ ସେ ଏଫଆଇଆର ଫେରାଇ ନେଇଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ତାଙ୍କ ଝିଅଙ୍କୁ ମାରିଦେଇଛନ୍ତି। ଏଥିସହିତ ସେ କହିଛନ୍ତି କି ମୋ ଝିଅ କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲା। ସେମାନେ ତାଙ୍କୁ କାରକୁ ଟାଣିବାକୁ ଚେଷ୍ଟା କରୁଥିଲେ କିନ୍ତୁ ନିକିତା ଏହାର ବିରୋଧ କରିବାରୁ ତାକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି।

ଏଥିରେ ନିକିତାଙ୍କ ମା’ ନ୍ୟାୟ ଦାବି କରିଛନ୍ତି। ଅନ୍ୟପଟେ ହରିଆଣା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିବା ସହିତ ଏଥିରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛି।