+୨ କଲେଜକୁ ମିଳିବ ଉତ୍କର୍ଷ କେନ୍ଦ୍ରର ମାନ୍ୟତା: ପ୍ରତି କଲେଜ ପିଛା ଖର୍ଚ୍ଚ ହେବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ +୨ ବା ଜୁନିୟର କଲେଜଗୁଡିକୁ ଉତ୍କର୍ଷ କେନ୍ଦ୍ରର ମାନ୍ୟତା ଦେବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସର୍ବଭାରତୀୟସ୍ତରରେ ଓଡ଼ିଶା ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିବ। ଡିଗ୍ରୀ କଲେଜ ଗୁଡିକର ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ମାନ୍ୟତା ପାଇବା ପରେ ୟୁଜିସି ଅନୁଦାନର ସହାୟକ ପାଉଥିବା ବେଳେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଲାଗି ଯେଉଁ କଲେଜକୁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ମାନ୍ୟତା ମିଳିବ ସେହି ସବୁ କଲେଜ ଲାଗି ସମଗ୍ରଶିକ୍ଷା ଯୋଜନାରେ ମିଳୁଥିବା ଅନୁଦାନକୁ ବ୍ୟୟ କରାଯିବ। ଏହାବ୍ୟତୀତ ଆବଶ୍ୟକ ସ୍ଥଳେ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅନୁଦାନ ସମଗ୍ରଶିକ୍ଷା ମାଧ୍ୟମରେ ଖର୍ଚ୍ଚ ହେଉଥିବା ବେଳେ ଏହି ବ୍ୟବସ୍ଥାରେ ଏକାଦଶ ଦ୍ୱାଦଶ ଶ୍ରେଣୀକୁ ସାମିଲ କରାଯାଇଛି। ଏହାବ୍ୟତୀତ ଅନୁଦାନ ରାଶି ବୃଦ୍ଧି ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଛି। +୨ ବା ଜୁନିୟର କଲେଜର ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷାଦାନ ଲାଗି ଗରଶିକ୍ଷା ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଘରୋଇ ଏବଂ ରେସିଡେନ୍ସିଆଲ୍ କଲେଜକୁ ବାଦ୍ ଦେଲେ କେବଳ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡିକୁ ଉତ୍କର୍ଷ କେନ୍ଦ୍ର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୬୦୦ କଲେଜକୁ ସାମିଲ କରାଯିବ। ପରେ ପର୍ଯ୍ୟାୟ କ୍ରମେ ୨୦୨୩ ସୁଦ୍ଧା ରାଜ୍ୟର ଜୁନିୟର କଲେଜକୁ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ମଧ୍ୟରେ ରଖିବା ଲାଗି ଉଦ୍ୟମ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ କଲେଜଗୁଡିକ ଏହି ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ମାନ୍ୟତା ପାଇବେ ସେହି କଲେଜଗୁଡିକ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଡିଜିଟାଲ କ୍ଲାସ ରୁମ୍, ପ୍ରୋଜେକ୍ଟର ବ୍ୟବସ୍ଥା, କ୍ୟାମ୍ପସରେ ୱାଏଫାଏ ସୁବିଧା, ମନିଟରିଂ ମେସେଜ୍ ବ୍ୟବସ୍ଥା, ଅତ୍ୟାଧୁନିକ ପ୍ରାକ୍ଟିକାଲ କକ୍ଷ ଆଦି ସୁବିଧା ରହିବ। ଯେଉଁ ସବୁ କଲେଜ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସି’ ମାନ୍ୟତା ହାସଲ କରିବେ ସେହି କଲେଜଗୁଡିକ ଲାଗି ୫୦ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହି ବ୍ୟବସ୍ଥା ୨୦୨୦ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇôତବା ବେଳେ କରୋନା ଲାଗି ବିଳମ୍ବ ହୋଇଛି। ତେବେ ୨୦୨୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।